ସ୍ୱୟଂଶାସିତ ରାଷ୍ଟ୍ର ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବଢୁଛି ବିବାଦ । ଆମେରିକା ସଂସଦର ବାଚସ୍ପତି ନାନସିଙ୍କୁ ଚୀନର ଚେତାବନୀ

198

କନକ ବ୍ୟୁରୋ : ସ୍ୱୟଂଶାସିତ ରାଷ୍ଟ୍ର ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଦିନକୁ ଦିନ ବିବାଦ ବଢୁଥିବା ବେଳେ ଆମେରିକାକୁ ଚେତାବନୀ ଦେଇଛି ଚୀନ । ଆମେରିକା ସଂସଦର ବାଚସ୍ପତି ନାନସି ପେଲୋସି ତାଇୱାନ୍ ଗସ୍ତରେ ଗଲେ ୱାସିଂଟନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଛି ଚୀନ । ନାନସୀ ଆସନ୍ତା ଅଗଷ୍ଟ ମାସରେ ତାଇୱାନ ଗସ୍ତରେ ଯିବେ ବୋଲି ଜଣାପଡିବା ପରେ ଏଭଳି ଚେତାବନୀ ଦେଇଛି ଚୀନ । ଚୀନର ଏଭଳି ଧମକ ପରେ ନାନ୍ସିଂଙ୍କୁ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଯାଇଛି ଆମେରିକା । ଏପରି ସ୍ଥିତିରେ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଏବଂ ଜୋ ବାଇଡେନ୍ ଗୁରୁବାର ଫୋନରେ କଥା ହୋଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନାହିଁ । କୁହାଯାଉଛି ଆମେରିକାର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ପରେ ଅଧିକ କ୍ଷମତା ରଖୁଥିବା ବାଚସ୍ପତିଙ୍କ ତାଇୱାନ ଗସ୍ତକୁ ଗ୍ରହଣ କରିପାରୁନି ଚୀନ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଚୀନ ଏବଂ ତାଇୱାନ ମଧ୍ୟରେ ଅସ୍ଥିରତା ଜାରି ରହିଛି । ଚୀନର ଦୁଇ ଦଳ କମ୍ୟୁନିଷ୍ଟ ଏବଂ ନ୍ୟାସନାଲିଷ୍ଟ ମଧ୍ୟରେ ବିବାଦ ମଧ୍ୟରେ ୧୯୪୯ ମସିହାରେ କମ୍ୟୁନିଷ୍ଟ ପାର୍ଟି ବେଜିଂକୁ କବଜାକୁ ନେଇଯାଇଥିଲା । ଏହ ପରେ ନ୍ୟାସନାଲିଷ୍ଟ ପାର୍ଟିର ନେତା କୁଇମିନତାଙ୍ଗ୍ ଏବଂ ତାଙ୍କର ସମର୍ଥକଙ୍କ ସହ ବହୁୁସଂଖ୍ୟାର ଲୋକେ ଦକ୍ଷିଣ-ପଶ୍ଚିମରେ ଥିବା ତାଇୱାନ ଦୀପକୁ ଚାଲିଯାଇଥିଲେ । ପରେ ତାଇୱାନକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସେଠାରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିଥିଲେ । ସେବେଠୁ ସେଠାରେ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ଚୀନ ଏହାକୁ ନିଜର ବୋଲି ଦାବି କରୁଛି । ଚୀନ ତାଇୱାନକୁ ନିଜର ଅଂଶ ବୋଲି ଦାବି କରୁଥିବା ବେଳେ ଆବଶ୍ୟକ ସ୍ଥଳେ ବଳପୂର୍ବକ ଏହାକୁ ନିଜ ଅକ୍ତିଆରକୁ ନେଇଯିବ ବୋଲି କହିସାରିଛି ।

ଏହି ଦୀପରାଷ୍ଟ୍ରର ସ୍ୱାଧୀନତାକୁ ନେଇ କୌଣସି ଆଲୋଚନା ହେବ ନାହିଁ ବୋଲି ନାନ୍ସି ସ୍ପଷ୍ଟ କହିଥିଲେ ମଧ୍ୟ କିଛି କାରଣ ପାଇଁ ତାଙ୍କ ଗସ୍ତଙ୍କୁ ବିରୋଧ କରୁଛି ଚୀନ । ୨୦୧୯ରେ ହଂକଂରେ ଗଣତନ୍ତ୍ର ଶାସନର ପ୍ରତିଷ୍ଠା ନେଇ ହୋଇଥିବା ପ୍ରତିବଦ୍ଧତାକୁ ନାନ୍ସିଂ ଉଚ୍ଚପ୍ରଶଂସା କରିଥିଲେ ଯାହାକୁ ଏବେ ଯାଏ ଚୀନ ହଜମ କରିପାରୁନଥିବା କୁହାଯାଉଛି ।