ପଡିଲା ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ, ୩୫ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟ ବନ୍ଦ କଲା ଆଦାନୀ ଗ୍ରୁପ

618

କନକ ବ୍ୟୁରୋ : ଆଦାନୀ ଗ୍ରୁପ ତରଫରୁ ଗୁଜରାଟର କଚ୍ଛ ଜିଲ୍ଲାରେ ଆରମ୍ଭ ହୋଇଥିବା କୋଇଲାରୁ ପଲିଭିନାଇଲ କ୍ଲୋରାଇଡ (ପିଭିସି) ପ୍ରକଳ୍ପର କାମ ବନ୍ଦ କରିଦିଆଯାଇଛି । ଆଦାନୀ ଗ୍ରୁପ ତରଫରୁ ପରିଚାଳନା ମଜବୁତ କରିବା ଓ ନିବେଶକଙ୍କ ଚିନ୍ତା କରିବା ଲକ୍ଷ୍ୟରେ ଏଭଳି କରିଥିବା କୁହାଯାଉଛି ।

ସୂଚନା ଥାଉକି ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ବଡ କ୍ଷତି ହୋଇଛି । ସେୟାର ବଜାରରେ ଆଦାନୀ ଗ୍ରୁପର ବିଭିନ୍ନ ସେୟାର ମୂଲ୍ୟ ଅହେତୁକ ଭାବେ ତଳକୁ ଖସିଯାଇଥିଲା । ହେଲେ ଏବେ ଧିରେ ଧିରେ ପୁଣି ଆଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି ପାଉଛି । ତଥାପି ହିଣ୍ଡେନବର୍ଗ ରିପୋର୍ଟ ଆଦାନୀ ଗ୍ରୁପର ବହୁତ କ୍ଷତି କରିଛି । ପିଟିଆଇ ସୂତ୍ର ସୂଚନା ମୁତାବକ ଆଦାନୀ ଗ୍ରୁପର ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ୨୦୨୧ ମସିହାରେ ଗୁଜରାଟର କଚ୍ଛ ଜିଲ୍ଲାରେ ଆଦାନୀ ବନ୍ଦର ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନର ଜମି ଉପରେ ଗ୍ରୀନଫିଲ୍ଡ କୋଇଲାରୁ ପିଭିସି ପ୍ଲାଣ୍ଟ ସ୍ଥାପନ କରିବାକୁ ମୁନ୍ଦ୍ରା ପେଟ୍ରୋଲ କେମିକାଲ ଲିମିଟେଡକୁ ସାମିଲ କରିଥିଲା ।

ହିଣ୍ଡେନବର୍ଗ ରିପୋର୍ଟ ଜାନୁଆରୀ ୨୬ ତାରିଖରେ ଆସିଥିଲା । ଏହାପରେ ଆଦାନୀ ଗ୍ରୁପର ମାର୍କେଟ କ୍ୟାପ ୧୪୦ ବିଲିୟନ ଡଲାର କ୍ଷତି ସହିଥିଲା । ଆଦାନୀ ଗ୍ରୁପ ଏହାର ରିକୋଭରି କରିବାକୁ ସବୁ ପ୍ରକାର ପ୍ରଚେଷ୍ଠା ଚଳାଇଛି । ଏହି କ୍ରମରେ ଗୁଜରାଟର ମୁନ୍ଦ୍ରାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର କାମକୁ ବନ୍ଦ କରିଛି ।

ଆଦାନୀ ଗ୍ରୁପ ଏବେ ତାର ନିବେଶକଙ୍କ ବିଶ୍ୱାସଭାଜନ ହେବାକୁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏହି କ୍ରମରେ ସେ ଋଣ ସୁଝି ନିବେଶକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଛି । ଏହାସହ ପରିଚାଳନା ମଜବୁତ କରିବା ଓ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ନିବେଶକଙ୍କ ଚିନ୍ତା ଦୂର କରିବା ଉପରେ ଆଧାରିତ ।