ଆତ୍ମନିର୍ଭର କରିଛି ପିଜୁଳି ଚାଷ: ଉତ୍ପାଦିତ ହେଉଥିବା ପିଜୁଳି ରାଜ୍ୟର ବିଭିନ୍ନ ସ୍ଥାନକୁ କରୁଛନ୍ତି ରପ୍ତାନୀ

78

କନକ ବ୍ୟୁରୋ: ଯାଜପୁର ମାଟିରେ ଥାଇଲାଣ୍ଡ ପିଜୁଳି । ବିଂଝାରପୁର ବ୍ଲକ କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ରାଉତ ଏବେ ଜଣେ ସପଂଳ ପିଜୁଳି ଚାଷୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶୀ ପିଜୁଳି ନୁହେଁ ବିଦେଶୀ ଥାଇଲାଣ୍ଡ ପିଜୁଳି ଚାଷ କରି ବେଶ ଦି ପଇସା ରୋଜଗାର କରିପାରୁଛନ୍ତି । କେବଳ ନିଜେ ରୋଜଗାର କରୁଛନ୍ତି ତା ନୁହେଁ ଏହି ଚାଷ ମାଧ୍ୟମରେ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିଛନ୍ତି । ଏହି ପିଜୁଳି ଏବେ ଭଲ ଅମଳ ହେଉଛି । ପିଜୁଳିର ଓଜନ ୧୦୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ରହୁଛି । ଖାଇବାକୁ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାକୁ ଆଗ୍ରହର ସହ କିଣିନେଉଛନ୍ତି ବ୍ୟବସାୟୀ । ଶୈଳେନ୍ଦ୍ରଙ୍କୁ ଏହି ପିଜୁଳି ଚାଷରେ ସହଯୋଗ କରୁଛନ୍ତି ତାଙ୍କର ପୁରା ପରିବାର । ଏହା ସହିତ ଶୈଳେନ୍ଦ୍ର ଜଣେ ଉଦ୍ୟାନ ବିଭାଗର ସାଥୀ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରୁ ବିଭିନ୍ନ ତାଲିମ ପାଇବା ପରେ ନିଜ ବାଡିରେ ଏଭଳି ବିଦେଶୀ ପିଜୁଳି ଫଳାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଦୁଇ ବର୍ଷ ତଳେ କାରୋନା ଲକଡାଉନ ବେଳେ ନୂଆ କିଛି କରିବାକୁ ଚିନ୍ତା କରିଥିଲେ ଶୈଳେନ୍ଦ୍ର । ନିଜସ୍ୱ ଜମିରେ ଚାଷ କରିବା ପାଇଁ ଚିନ୍ତା କରି ପିଜୁଳି ଚାଷ କରିବାକୁ ଯୋଜନା କରିଥିଲେ । ଏହା ପରେ ନିଜ ବାଡିରେ ପିଜୁଳି ଚାରା ଲଗାଇ ଏବେ ଭଲ ଅମଳ କରୁଛନ୍ତି । ପ୍ରତିଦିନ ଉତ୍ପାଦିତ ହେଉଥିବା ପିଜୁଳି ବିଭିନ୍ନ ସ୍ଥାନକୁ ରପ୍ତାନି କରାଯାଉଛିି । ଖାଲି ପିଜୁଳି ନୁହେଁ ବାଡିରେ ଆମ୍ବ, ଲେମ୍ବୁ, କଦଳୀ ଓ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଶୈଳେନ୍ଦ୍ର । ସେ ନିଜେ ଜଣେ ଆଇନ ବିଭାଗର ଛାତ୍ର ହୋଇ ମଧ୍ୟ ଚାଷ ପ୍ରତି ଥିବା ତାଙ୍କର ବିଶେଷ ଆଗ୍ରହ ତାଙ୍କୁ ସଫଳତା ଆଣିଦେଇଛି । ଚାକିରୀ ପଛରେ ପଡ଼ି ସମୟ ନଷ୍ଟ କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ଚାଷ କରି ସଫଳତା ହାସଲ କରିହେବ ବୋଲି କହିଛନ୍ତି ଶୈଳେନ୍ଦ୍ର ।