କଣ୍ଟାବାଞ୍ଝିରେ ଦାଦନ ଦୁଃଖ। କନକ ନ୍ୟୁଜ ଆଗରେ କହିଲେ ଦୁଃଖ କାହାଣୀ। 

84

କନକ ବ୍ୟୁରୋ: ଦାଦନ ଶ୍ରମିକ କହୁଛି ଦାଦନ ଖଟିଯିବାର କାହାଣୀ । ପ୍ରତ୍ୟେକ ବର୍ଷ ପେଟପାଟଣା ପାଇଁ କଂଟାବାଞ୍ଝି ଅଞ୍ଚଳରୁ ହଜାର ହଜାର ଲୋକ ରାଜ୍ୟ ବାହାରକୁ ଯାଇଥାନ୍ତି । ରାଜ୍ୟ ବାହାରକୁ ଯିବା ପରେ ପେଟ ପାଇଁ ସେଠାରେ କସରତ ଚାଲେ, ଠିକାଦାରର ଜୁଲମ ସହିବାକୁ ପଡେ । ନୂଆଖାଇ ପୂର୍ବରୁ ଏଥିପାଇଁ ଗାଁକୁ ଗାଁ ବୁଲି ଦାଦନ ଦଲାଲ ବାହାର ରାଜ୍ୟ ନେବାକୁ ଲୋକଙ୍କ ସହ ମୁଲଚାଲ କରନ୍ତି । ଆଗୁଆ ଭାବେ ସେମାନଙ୍କୁ କିଛି ଟଙ୍କା ବି ଦିଆଯାଇଥାଏ । କନକ ନ୍ୟୁଜ ଟିମ ଯେତେବେଳେ ତୁରେଇକେଲା ଅଞ୍ଚଳର କିଛି ଦାଦନ ଶ୍ରମିକଙ୍କ ସହ ଆଲୋଚନା କରିଥିଲା, ସେତେବେଳେ ସେମାନେ ବଖାଣିିଥିଲେ ଦାଦନର ଦୁଃଖ କାହାଣୀ ।

ପ୍ରତିବର୍ଷ ବଲାଙ୍ଗୀରର କଂଟାବାଞ୍ଝି, ତୁରେଇକେଲା ଓ ଲାଠୋରରୁ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି । ସେଠାରେ ୧୮ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଇଥାଏ । ବିନା କାରଣରେ ମାଡ, କମ୍ ମଜୁରୀ, ବିଭିନ୍ନ ପ୍ରକାରର ନିର୍ଯାତନା ମଧ୍ୟ ମିଳିଥାଏ । ଅଗ୍ରୀମ ଟଙ୍କା ନେଇଥିବାରୁ କିଛି ଉପାୟ ନପାଇ ଜୀବନକୁ ବାଜି ଲଗାଇ କାମ କରିଥାନ୍ତି । ଛୋଟ ପିଲାଙ୍କୁ ବେସାହାରା ଭାବେ ଛାଡିଦେଇ କାମ କରିବାକୁ ଯାଇଥାନ୍ତି ମହିଳା ଓ ପୁରୁଷ । ଅଞ୍ଚଳରେ କାମଧନ୍ଦା ପାଇଁ କୌଣସି ସୁଯୋଗ ନଥିବାରୁ ଲୋକେ ବାହାର ରାଜ୍ୟକୁ ଯାଇ ଇଟାଭାଟିରେ କାମ କରିବାକୁ ବାଧ୍ୟହେଉଛନ୍ତି ।

ଯେଉଁମାନେ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ସରକାରୀ ଯୋଜନା ବି ଅପହଞ୍ଚ ହୋଇ ରହିଛି । ଭଗବାନଙ୍କ ଭରସାରେ ବିତୁଛି ସେମାନଙ୍କ ଜୀବନ । ମନରେ ପ୍ରଶ୍ନ ଉଠୁଛି, ସତରେ କଣ ସେମାନଙ୍କ ଭାଗ୍ୟରେ ପରିବର୍ତନ ହେବନି । ପୀଢି ପରେ ପୀଢି ଦାଦନ ଖଟିବାକୁ ଯିବେ ।