ଭୁବନେଶ୍ୱରରେ ରାହୁଲ କେମିତି କରିବେ ସମାବେଶ? କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ମିଳୁନି ପଡିଆ, ଶାସକ ଦଳକୁ ଦୋଷ ଦେଲା କଂଗ୍ରେସ

466

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭା ପାଇଁ ଭୁବନେଶ୍ୱରରେ ପଡିଆ ମିଳୁନାହିଁ । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଜାନୁଆରୀ ୨୬ ଏବଂ ଚାଷୀମାନଙ୍କ ପାଇଁ ସମାବେଶ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଆଳରେ ଶାସକ ଦଳ ପକ୍ଷରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମସ୍ତ ପଡିଆ ବୁକ କରିଦିଆଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ପ୍ରଦେଶ କଂଗ୍ରେସ । ତେବେ ତମାଣ୍ଡୋ ମିନି ଷ୍ଟାଡିୟମ , ତମାଣ୍ଡୋ ପଡିଆ କିମ୍ବା କ୍ୟାପିଟାଲ ହାଇସ୍କୁଲ, ଏହି ପଡିଆ ମଧ୍ୟରୁ ଯେକୌଣସି ଗୋଟାକରେ ହୋଇପାରେ ରାହୁଲଙ୍କ ସଭା । ଏଥିପାଇଁ ବିଚାର ବିମର୍ଶ ଚାଲିଛି ବୋଲି ପିସିସି ସଭାପତି କହିଛନ୍ତି ।

ରାହୁଲ ଗାନ୍ଧିଙ୍କ ସଭା ପାଇଁ ପିସିସି ସଭାପତି ପଡିଆ ବୁଲି ଦେଖୁଛନ୍ତି । ହେଲେ ମିଳୁନି ପଡିଆ । ଯାହା କଂଗ୍ରେସ ପାଇଁ ହୋଇଛି ମୁଣ୍ଡବିନ୍ଧାର କାରଣ । ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧି ଓଡିଶା ଗସ୍ତରେ ଆସୁଥିବା ବେଳେ କଟକ ବାଲିଯାତ୍ରା ପଡିଆରେ ସମାବେଶ କରିବାପାଇଁ ସ୍ଥିର ହୋଇଥିଲା । ହେଲେ ରାହୁଲଙ୍କ ପସନ୍ଦ ଭୁବନେଶ୍ୱର ହେବାରୁ ଏବେ କଂଗ୍ରେସ ନେତୃବୃନ୍ଦଙ୍କୁ ଭୁବନେଶ୍ୱରରେ ପଡିଆ ଖୋଜିବାକୁ ପଡୁଛି । ତେବେ ତମାଣ୍ଡୋରେ ଆଜି ଏକ ପଡିଆ ବୁଲି ଦେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଦଳୀୟ ନେତୃବୃନ୍ଦ । ସଭା ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ଥିବାରୁ କ୍ୟାପିଟାଲ ହାଇସ୍କୁଲ ପଡିଆ କିମ୍ବା ତମାଣ୍ଡୋରେ ସଭା ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆଉ ଏସବୁ ଭିତରେ କଂଗ୍ରେସର ସିଧା ସିଧା ଅଭିଯୋଗ ହେଲା ଶାସକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରମୁଖ ପଡିଆ ଯଥା ଜନତା ମଇଦାନ, ପ୍ରଦର୍ଶନୀ ପଡିଆ ଏବଂ ବରମୁଣ୍ଡା ପଡିଆକୁ ବୁକ କରାଯାଇଛି । ଶାସକ ଦଳର ଏହା ଏକ ନିର୍ବାଚନୀ ଚାଲ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି, ବିଜେପି ଏବଂ କଂଗ୍ରେସ ସମାବେଶ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଘନ ଘନ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡିଶା ସମାବେଶକୁ ସଫଳ କରିବାପାଇଁ ପ୍ରମୁଖ ସମସ୍ୟା ପାଲଟିଛି ରାଜଧାନୀରେ ପଡିଆ ।