କେମିତି ଅଚାନକ୍ ପାହାଡ ଉପରୁ ମାଡି ଆସିଥିଲା ପ୍ରଳୟ । ସାମ୍ନାକୁ ଆସିଲା ଘଟଣା ବେଳର ଦୃଶ୍ୟ ।

333

କନକ ବ୍ୟୁରୋ : ହିମସ୍ଖଳନ ବେଳେ କେମିତି ଥିଲା ସ୍ଥିତି ତାର ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ହିମସ୍ଖଳନ ବେଳେ ଋଷିଗଙ୍ଗା ହାଇଡ୍ରୋ ଇଲେକଟ୍ରିକ ପ୍ରୋଜେକ୍ଟର କର୍ମଚାରୀ କିପରି କାଦୁଅ ପାଣିରେ ଭାସିଯାଇଛନ୍ତି ସେହି ସମୟରଦୃଶ୍ୟ । ହିମସ୍ଖଳନ ପରେ ଯେତେବେଳେ କାଦୁଅ ପାଣି ପ୍ରବଳ ବେଗରେ ମାଡି ଆସିଥିଲେ ଜୀବନ ବଂଚାଇବା ପାଇଁ ଡ୍ୟାମର କିଛି କର୍ମଚାରୀ ଉପରକୁ ଚଢିଯାଇଥିଲେ । ହେଲେ ନିଜକୁ ବଂଚାଇ ପାରିନଥିଲେ ।

ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସିଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେବି ଶତାଧିକ ଲୋକଙ୍କର କୌଣସି ପତା ମିଳିନି ।

ଫେବ୍ରୁଆରୀ, ୭ତାରିଖ ରବିବାର ଦିନର ସେହି ସମୟର ଦୃଶ୍ୟ । ଯେତେବେଳ ହିମସ୍ଖଳନ ଯୋଗୁଁ ମାତ୍ର କେଇ ମୁହୁର୍ତରେ ପାଣି କାଦୁଅରେ ଭାସିଯାଇଥିଲା ସବୁ । ପ୍ରବଳ ବେଗରେ ମାଡି ଆସିଥିବା କାଦୁଅରୁ ନିଜକୁ ସୁରକ୍ଷିତ କରିବା ପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ସବୁଆଡୁ ରାସ୍ତା ବନ୍ଦ ହୋଇଯାଇଥିଲା । ଆଉ କାଦୁଅ ପାଣିରେ ଭାସିଯାଇଥିଲା ସବୁକିଛି ।

ଘଟଣାକୁ ୩ଦିନ ବିତିଯାଇଥିବା ବେଳେ ପ୍ରଥମ ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଦ୍ୱିତୀୟ ସୁଡଙ୍ଗରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ସମୟ ଯେତିକି ଗଡି ଗଡି ଯାଉଛି ଆଶଙ୍କା ସେତିକି ବଢି ବଢି ଚାଲିଛି ।

ହିମସ୍ଖଳନ ପରେ ଏବେ ଏନଟିପିସିର ନିର୍ମାଣଧୀନ ତପୋବନ ପାୱାର ପ୍ରଜେକ୍ଟର କିଛି ସାଟେଲାଇଟ ଇମେଜ ଆସିିଛି । ଯେଉଁଥିରେ ପ୍ରଳୟର ପୂର୍ବ ଏବଂ ପର ସ୍ଥିତି ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ଏହି ଦୁଇଟି ଫଟୋ ଉପରେ ନଜର ପକାନ୍ତୁ ପ୍ରଥମ ଫଟୋଟି ୨୦୧୮ନଭେମ୍ବର ମାସର ଏବଂ ଦ୍ୱିତୀୟ ଫଟୋଟି ପ୍ରଳୟ ପରେ ଫେବ୍ରୁଆରୀ ୯ତାରିଖର ଫଟୋ । ହିମସ୍ଖଳନରେ ପରେ ଡ୍ୟାମଟି ସମ୍ପୂର୍ଣ୍ଣ ଭାବେ କାଦୁଅରେ ପୋତି ହୋଇଯାଇଛି ।