ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ । ପିସିସି ନେତୃତ୍ୱ ପରିବର୍ତନ ପାଇଁ ଭୁବନେଶ୍ୱରର ହୋଟେଲରେ ଚାଲିଲା ଅସନ୍ତୁଷ୍ଟଙ୍କ ବୈଠକ, ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ, ସାଂସଦଙ୍କ ସମେତ ପୁରୁଖା ନେତା ।

382

କନକ ବ୍ୟୁରୋ : ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତନ ପାଇଁ ମେଳି ବାନ୍ଧିଲେ ନେତା । ସେମାନଙ୍କର ଗୋଟିଏ ଦାବି ପିସିସି ପରିବର୍ତ୍ତନ ହେଉ । ଆଗକୁ ପିପିଲି ଉପନିର୍ବାଚନ ଏବଂ ଆସନ୍ତା ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା ରହିଛି । ଏହାରି ଭିତରେ ପଦାକୁ ଆସିଛି କଂଗ୍ରେସର ପୁରୁଣା ରୋଗ ।

ରାଜଧାନୀର ଏକ ହୋଟେଲରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ବୈଠକ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଏକାଠି ହୋଇଥିଲେ କଂଗ୍ରେସର ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ଜିଲ୍ଲା ସଭାପତି ଓ ସମ୍ପାଦକ । ବୈଠକରେ ସାମିଲ ହୋଇଥିବା ଏହି ନେତାଙ୍କ ଗୋଟିଏ ଦାବି ହେଲା ନେତୃତ୍ୱ ପରିବର୍ତନ ।

ଗୋଟିଏ ପଟେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି, କଂଗ୍ରେସକୁ ଆଗକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଦେଖାଯାଉଛି, କଂଗ୍ରେସର ନେତୃତ୍ୱ ପରିବର୍ତନର ପୁରୁଣା ରୋଗ ଆଜି ଯାଏଁ ଥମିନାହିଁ । କିଛି ଦିନ ପୂର୍ବରୁ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟରେ ଡେରା ପକାଇଥିଲେ । ସାଂଗଠନିକ ସମ୍ପାଦକ କେ ସି ଭେନୁଗୋପାଳଙ୍କୁ ଭେଟି ପିସିିସି ପରବର୍ତନର ନାରା ଦେଇଥିଲେ । ଆଜି ଦେଖିବାକୁ ମିଳିଥିଲା ଏହି ଅସନ୍ତୁଷ୍ଟ ନେତାଙ୍କ ବୈଠକ । ଏହି ମେଳି ସମ୍ପର୍କରେ ଚେଲା କୁମାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।

ଅନ୍ୟପଟେ ପିସିସି ସଭାପତି ଆଜିର ବୈଠକକୁ ନେଇ କହିଛନ୍ତି, ତାଙ୍କ ପାଖରେ ଖବର ନାହିଁ । ବରିଷ୍ଠ କଂଗ୍ରେସ ବିଧାୟକ କହିଛନ୍ତି ଯେତେ ମେଳି ହେଲେ ବି କିଛି କରିପାରିବେ ନାହିଁ ଅସନ୍ତୁଷ୍ଟ ।