ଶ୍ରୀମନ୍ଦିରରୁ ବାଇ-ଲ’ ହଟିବା ପରେ ଜୋର ଧରିଲା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର ଦାବି । ମୁହାଁମୁହିଁ ହେଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସାସଂଦ ଅପରାଜିତା ଷଡ଼ଙ୍ଗୀ ।

92

କନକ ବ୍ୟୁରୋ : ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଛନ୍ତି । ସେପଟେ ସେବାୟତ କହିଛନ୍ତି ଏକାମ୍ରକ୍ଷେତ୍ର ସହ ଧୋକ୍କା ହୋଇଛି । ତୁରନ୍ତ ବାଇ-ଲ’ ପ୍ରତ୍ୟାହୃତ ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୁରାଇ ଦିଆଯିବ ନାହିଁ ।

ଅପରାଜିତା ବନାମ ଅଶୋକ ପଣ୍ଡା । ମନ୍ତ୍ରୀଙ୍କ ଟାର୍ଗେଟରେ ଭୁବନେଶ୍ୱର ସାଂସଦ । ଏକାମ୍ରକ୍ଷେତ୍ରରେ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତାବିତ ବାଇ-ଲ’ କାଏମ ରହିବା ମାମଲାରେ ସାଂସଦଙ୍କୁ ଘେରିଛନ୍ତି ମନ୍ତ୍ରୀ । ଟୁଇଟ କରି ଲେଖିଛନ୍ତି ଏହି ଅଧିନିୟମ ଏକାମ୍ରକ୍ଷେତ୍ରର ବିକାଶରେ ବାଧକ ହେବ । ହେଲେ ଭୁବନେଶ୍ୱର ସାଂସଦ କାହିଁକି ଚୁପ୍ ରହିଛନ୍ତି । ଏକାମ୍ର କ୍ଷେତ୍ରର ବିକାଶରେ ବାଧକ ହେଉଥିବା ବ୍ୟକ୍ତିକୁ ଭୁବନେଶ୍ୱରବାସୀ କ୍ଷମା କରିବେ ନାହିଁ ବୋଲି ଟୁଇଟ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ସଂସଦର ଅଧିବେଶନ ପରେ ଭୁବନେଶ୍ୱର ପହଂଚି ସମସ୍ତ ତଥ୍ୟ ବୁଝିବେ ବୋଲି କହିଛନ୍ତି ଅପରାଜିତା ।

ସେପଟେ ଏନଏମଏର ବାଇ-ଲ’କୁ ନେଇ ତାତିଛନ୍ତି ଶ୍ରୀଲିଙ୍ଗରାଜଙ୍କ ସେବାୟତ । କହିଛନ୍ତି ନିୟମ ପ୍ରତ୍ୟାହାର ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୂରାଇ ଦିଆଯିବ ନାହିଁ । ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରାଯାଇଥିବା ବାଇ-ଲ’କୁ ବିରୋଧ ପରେ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ସେହି ସମାନ ଆଧାର ଥିଲେ ମଧ୍ୟ ଏକାମ୍ରକ୍ଷେତ୍ରର ଲିଙ୍ଗରାଜ ମନ୍ଦିର, ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରର ବାଇ-ଲ’ ପ୍ରତ୍ୟାହାର ହେଉ ନାହିଁ ।