ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବିଷ୍ଣୁଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରି ଅନୁକମ୍ପା ଭୋଟ ହାତେଇବାକୁ ବିଜେପିର ପ୍ରୟାସ।

161

କନକ ବ୍ୟୁରୋ: ପ୍ରଥମେ ଅସନ୍ତୋଷ , ପରେ ବିଦ୍ରୋହ, ଆଉ ତାପରେ ସ୍ୱାଧୀନ ପ୍ରାର୍ଥୀ ହେବା ରାଜୁ ଦାସଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅନେକ ମାନଭଞ୍ଜନ ପରେ ରାଜୁ ନ ମାନିବାରୁ ଶେଷରେ ଦଳରୁ ବହିଷ୍କାର କରିଛି ବିଜେଡି । ରାଜୁଙ୍କ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ବିଜେଡି କହିଛି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରାଜୁଙ୍କୁ ଆଉଟ କରାଯାଇଛି । ଭୁବନେଶ୍ୱରରେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ ଧାମନଗରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ରାଜୁ । ନିଜ ସମର୍ଥକଙ୍କୁ ଧରି ବିଭିନ୍ନ ପଞ୍ଚାୟତରେ ମାରାଥନ ପ୍ରଚାର କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ । ସବୁବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିରରୁ ମସଜିଦ ବୁଲୁଛନ୍ତି ।

ଧାମନଗରରେ ବିଜେଡି ରାଜନୀତି ଗୋଳିଆ ହୋଇଥିବାବେଳେ ଅନୁକମ୍ପା ଭୋଟ ସହୟତାରେ ଗଡ ବଞ୍ଚାଇବାକୁ ଉଦ୍ୟମକୁ ଜୋରଦାର କରିଛି ବିଜେପି । ତିହିଡି ଓ ଧାମନଗରରେ ଦିବଙ୍ଗତ ନେତା ବିଷ୍ଣୁସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନେତା । ପ୍ରତ୍ୟେକ ପଞ୍ଚାୟତରେ ଦଳର ବିଧାୟକ ଓ ନେତା ଉପସ୍ଥିତ ରହି ବିଷ୍ଣୁଙ୍କ ପୁଅ ସୂରଜଙ୍କ ପାଇଁ ପରୋକ୍ଷରେ ଭୋଟ ମାଗିଛନ୍ତି ।

ବିଜେଡି ଓ ବିଡେପିକୁ ଟକ୍କର ଦେବାକୁ କଂଗ୍ରେସ ମଧ୍ୟ ମୈଦାନକୁ ଓହ୍ଲାଇଛି । ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଭୋଟ ମାଗିଛନ୍ତି ରାଜ୍ୟସ୍ତରୀୟ ନେତା । ଧାମନଗର ଉପନିର୍ବାଚନ ବାଜି ଜିତିବା ପାଇଁ ସବୁ ଦଳ କସରତ ଆରମ୍ଭ କରିସାରିଲେଣି । ଆଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବଡ ନେତା ମୈଦାନକୁ ଓହ୍ଲାଇ ଧାମନଗର ରାଜନୀତିକୁ ସରଗରମ କରିବେ ।