ଆତଙ୍କବାଦ ବିରୋଧୀ ଲଢେଇରେ ପୁଣି କଂଟା ସାଜିଲା ଚୀନ, ମିଳିତ ଜାତିସଂଘରେ ଭାରତ ପ୍ରସ୍ତାବରେ ସହମତି ପ୍ରକାଶ କଲାନି ବେଜିଂ

98

କନକ ବ୍ୟୁରୋ : ଆତଙ୍କବାଦ ଦମନରେ ବାହାରିଥିବା ଭାରତକୁ ଏବେ ବିରୋଧ କରିଛି ଚୀନ । ମିଳିତ ଜାତିସଂଘରେ ପୁଣି ଥରେ ଚୀନ ଆତଙ୍କବାଦୀଙ୍କୁ ସମର୍ଥନ କରିଛି । ପାକିସ୍ଥାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ ପ୍ରସ୍ତାବ ଆଣିଥିଲା । ଯାହାକୁ ଚାଇନା ସମର୍ଥନ କରିନାହିଁ । ଗତ କିଛିମାସ ମଧ୍ୟରେ ଆତଙ୍କବାଦୀ ବିରୋଧ ଅଭିଯାନରେ ବେଜିଂର ଚତୁର୍ଥ ଥର ପାଇଁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱ ଦରବାରେ ଆତଙ୍କବାଦୀ ସଙ୍ଗଠନକୁ କଳାତାଲିକାଭୁକ୍ତ କରିବାରେ ବେଜିଂ ବାଧକ ସାଜିଛି ।

ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆଲୋଚନା ପାଇଁ ଭାରତ ଏକ ପ୍ରସ୍ତାବ ଦେଇଥିଲା । ହେଲେ ଚୀନ ତାର ଭିଟୋ ଶକ୍ତି ପ୍ରୟୋଗ କରି ଏହି ଆଲୋଚନାକୁ ଅଟକାଇଛି । ତେବେ ୟୁଏସ ଟ୍ରେଜେରୀ ଡ଼ିପାର୍ଟମେଂଟ ୨୦୧୬ରେ ମହମ୍ମଦଙ୍କୁ ଆତଙ୍କବାଦୀ ଶ୍ରେଣୀରେ ତାଲିକାଭୁକ୍ତ କରିଛି । ପୂର୍ବରୁ ମୁମ୍ବାଇ ଆକମ୍ରଣରେ ସାମିଲ ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକାଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଛି ।