କନକ ବ୍ୟୁରୋ : ସୁରକ୍ଷା ଯୋଗାଇବା ପାଇଁ ନିର୍ମାଣ ହୋଇଥିବା କୋଠା ଏବେ ମାଗୁଛି ସୁରକ୍ଷା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଆଶ୍ରୟ ହେଉଥିବା ଆଶ୍ରୟସ୍ଥଳି ଏବେ ବିପଦ ସଂକୁଳ ଅବସ୍ଥାରେ ପଡିଛି । ବନ୍ୟା ଆଶ୍ରୟସ୍ଥଳି କେଉଁଠି ଜରାଜିର୍ଣ୍ଣ ତ, କେଉଁଠି ପାଲଟିଛି ଭୂତକୋଠି । ଆସନ୍ତୁ ଜାଣିବା କେମିତି ଅଛି ସୁବର୍ଣ୍ଣରେଖା କୂଳରେ ଥିବା ବାଲିଆପାଳ ବ୍ଲକରେ ଥିବା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳିର ଅବସ୍ଥା ।
Kanak News is now on WhatsApp
Join and get latest news updates delivered to you via WhatsApp
ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବାଲେଶ୍ୱର ବାଲିଆପାଳ ବ୍ଲକ ପାରୁଳିଆ ବନ୍ୟା ଆଶ୍ରୟସ୍ଥଳି ଏବେ ଭୂତକୋଠି ପାଲଟିଛି । ରକ୍ଷଣାବେକ୍ଷଣ ଅଭାରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କୋଠା କେତେବେଳେ ଯେ, ଭୂଷୁଡି ପଡିବ ତାହା କହିହେବ ନାହିଁ । ଏବେ ବି ଏହି ବିପଦପୂର୍ଣ୍ଣ କୋଠା ତଳେ ଲୋକେ ଗୋରୁଗାଇ ବାନ୍ଧୁଥିବା ବେଳେ ଏକ ଅସହାୟ ପରିବାର ବସବାସ କରୁଛନ୍ତି । ଆଉ ଏହା ଆଉ ହେଉଛି ବାଲିଆପାଳ ସୁବର୍ଣ୍ଣରେଖା ନଦୀକୂଳରେ ଥିବା ବଢାପାଳ ବନ୍ୟା ଆଶ୍ରୟସ୍ଥଳି । ୨ ବର୍ଷ ତଳେ ୧ କୋଟି ଟଙ୍କାରେ ନିର୍ମାଣ ହୋଇଥିବା କୋଠାର ଅବସ୍ଥା ଦେଖନ୍ତୁ । ନିମ୍ନମାନର କାମ ଯୋଗୁ କାନ୍ଥ ଫାଟି ଆଁ କରିଥିବା ବେଳେ ଏ ଯାଏଁ ବିଦ୍ୟୁତ ସଂଯୋଗ ହୋଇନାହିଁ । ହେଲେ କୋଠା ଭିତରେ ଫ୍ୟାନ ଛୁଲୁଛି । ଏଣେ ବର୍ଷା ଆସିଯାଇଥିବା ବେଳେ ବନ୍ୟାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ନଇଳୂଳିଆ ବାସିନ୍ଦା ।
ବାଲିଆପାଳ ବ୍ଲକରେ କେବଳ ୨ଟି ବନ୍ୟା ଆଶ୍ରୟସ୍ଥଳି ନୁହେଁ, ପ୍ରାୟ ୩୦ଟି ଆଶ୍ରୟସ୍ଥଳି ରହିଛି, ତେବେ ଚଳିତ ବର୍ଷ ବନ୍ୟା ଆସିବା ଆଗରୁ ସମସ୍ତ ବାତ୍ୟାବନ୍ୟା ଆଶ୍ରୟସ୍ଥଳିରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ସାରଂଜାମ ମହଜୁଦ ରଖାଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ । ଯେଉଁଠି ଆଜି ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟସ୍ଥଳିର ମରାମତି ହୋଇପାରିନାହିଁ, ସେଠାରେ ବନ୍ୟା ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯିବ, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।