ବନ୍ୟା ଆଣୁଛି ବୈତରଣୀ ! କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସତର୍କ ରହିବାକୁ ନିର୍ଦ୍ଦେଶ

55

କନକ ବ୍ୟୁରୋ : ବୈତରଣୀ ଆଣୁଛି ବିପଦ । ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି । ବର୍ଷା ଜାରି ରହିଲେ ଆଜି ରାତି ସୁଦ୍ଧା ଏସବୁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବ ।

ସେହିପରି ଲଗାଣ ବର୍ଷା ଯୋଗୁଁ ବଢୁଛି ସୁବର୍ଣ୍ଣରେଖା । ଜାମସୋଳାଘାଟରେ ଜଳସ୍ତର ଏବେ ବିପଦ ସଙ୍କେତ ଉପରେ । ଏଠାରେ ଜଳସ୍ତର ବିପଦ ସଙ୍କେତ ୪୯. ୧୫ ମିଟର ଥିବା ବେଳେ ଦିନ ୩ ଟା ସୁଦ୍ଧା ୪୯.୫୦ ମିଟର ଉପରେ ପ୍ରବାହିତ ହେଉଛି । ଏପଟେ ଜଳକାରେ ବି ସମାନ ସ୍ଥିତି । ନଦୀରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଦିନ ୩ଟା ସୁଦ୍ଧା ୫.୭୫ ମିଟର ଉପରେ ରହିଛି ନଦୀ ଜଳସ୍ତର । ଯଦି ବନ୍ୟା ଆସେ ତାହା ହେଲେ ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକର ପାଖାପାଖି ୪୦ଟି ଗାଁ ପ୍ରଭାବିତ ହେବ । ଏହାରି ଭିତରେ ଉତ୍ତର ଓଡିଶାର ୬ଟି ଜିଲ୍ଲାରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ପ୍ରସ୍ତୁତ ରହିଛନ୍ତି ସରକାର ।

ଲଘୁଚାପ ପ୍ରଭାବରେ ସାରା ଉତ୍ତର ଓଡିଶାରେ ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୪ ଘଂଟା ଯାଏଁ ଆହୁରି ବର୍ଷିବ । ମୟୂରଭଂଜ, କେଉଁଝର, ସୁନ୍ଦରଗଡ ଓ ବାଲେଶ୍ୱରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବରଗଡରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ହୀରାକୁଦରେ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ରେଙ୍ଗାଳି ଜଳଭଂଡାରରେ ମଧ୍ୟ ଜଳପତନ ବୃଦ୍ଧି ପାଇଛି । ଯେ କୌଣସି ସମୟରେ ରେଙ୍ଗାଳି ଗେଟ୍ ଖୋଲାଯିବା ସମ୍ଭାବନା ରହିଛି । ଏହାରି ଭିତରେ ନଜର ରହିଛି ଆଜି ଓ ଆସନ୍ତାକାଲିର ବର୍ଷା ଉପରେ ।

ତେବେ ଉତ୍ତର ଓଡିଶା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବର୍ତ୍ତମାନ ବୈତରଣୀର ଜଳସ୍ତର ବଢୁଥିବା ବେଳେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ବନ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ଏହି ୩ଟି ଜିଲ୍ଲାରେ ୬୦ ଟି ବନ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଥିବା ଏସଆରସି ସୂଚନା ଦେଇଛନ୍ତି । ଦରକାର ପଡିଲେ ଲୋକଙ୍କୁ ଉପର ଅଂଚଳକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ହୋଇଛି । ସେପଟେ ଝାଡଖଣ୍ଡର ଗାଲାଟି ଡ୍ୟାମ୍ ଖୋଲିବା ପରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।