ଚାଲିଲା ଆଇନର ଯୁଦ୍ଧ ! ନିର୍ବାଚନରେ ଟଙ୍କା କାରବାର ନେଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ କୋର୍ଟ ଗଲେ ଗଂଜାମ ଜିଲ୍ଲାପାଳ

25

କନକ ବ୍ୟୁରୋ : ବିଜେଡିର ନିର୍ବାଚନୀ ପାଣ୍ଠି ଅନିୟମିତତା ନେଇ ପୁଣି ପ୍ରଶ୍ନ ଉଠାଇଲା ଭାରତୀୟ ଜନତା ପାର୍ଟି । ବିଶେଷ କରି ଭୁବନେଶ୍ୱର ୟୁନିଟ-୧ରେ ଥିବା ଏକ ନନ୍ ପର୍ସନାଲ ଆକାଉଂଟରୁ ବିଜେଡିର ଏକ କରେଂଟ୍ ଆକାଉଂଟକୁ ଏକାଧିକଥର ଲକ୍ଷଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଏ ବାବଦରେ ବିଜୁ ଜନତା ଦଳ କାହିଁକି ଚୁପ ରହିଛି ବୋଲି ପ୍ରଶ୍ନ କରିଛି ବିଜେପି । ୧୦୦୯୧୮୦୫୫୭୩ ଆକାଉଂଟ ନମ୍ବର ଭୁବନେଶ୍ୱର ମୁଖ୍ୟ ବ୍ରାଂଚ ନାଁରେ ରହିଛି । ସେହିପରି ଭୁବନେଶ୍ୱର ଏସବିଆଇ ମୁଖ୍ୟ ବ୍ରାଂଚକୁ ଚିଠି ଲେଖି କେଉଁସବୁ ତଥ୍ୟ ମଗାଯାଇଥିଲା ସେନେଇ ବିଜେଡି ସ୍ପଷ୍ଟ କରିବା ଉଚିତ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଭାରତୀୟ ଜନତା ପାର୍ଟି ।

ଆଜି ପୂର୍ବାହ୍ନରେ ସଚିବାଳୟରେ ବିଜେଡି ସାଂସଦ ପ୍ରତାପ ଦେବ ଦଳର ନିର୍ବାଚନୀ ପାଣ୍ଠି କାରବାର ନେଇ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଥିଲେ । ବିଜେଡିର ୟୁନିଟ-୧ର ମୁଖ୍ୟ ବ୍ରାଂଚରେ ଗୋଟିଏ କରେଂଟ୍ ଆକାଉଂଟ୍ ରହିଥିବା ଦର୍ଶାଇଥିଲେ । ଅନ୍ୟପଟରେ ବୁଦ୍ଧନଗରରରେ ଥିବା ଏସବିଆଇର ଅନ୍ୟଏକ ବ୍ରାଂଚରେ ଦଳର ରହିଥିବା ଆକାଉଂଟରୁ ନବୀନ ପଟ୍ଟନାୟକଙ୍କୁ ୧୦ ଲକ୍ଷ, ଭୁବନେଶ୍ୱର କିଷାନଙ୍କୁ ୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କୁ କିଭଳି ଟଙ୍କା ଦିଆଯାଇଛି ସେନେଇ ତଥ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସତ୍ୟପାଠରେ ବିଜେଡି ଦଳ ତରଫରୁ ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା ଆରଟିଜିଏସ ଚେକ୍ ମାଧ୍ୟମରେ ପାଇଥିବା ଦର୍ଶାଇଥିବାବେଳେ, ପ୍ରତାପ ଦେବ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା କହିଥିଲେ ।

ସେପଟେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳ ଓ ପ୍ରାର୍ଥୀଙ୍କ ସତ୍ୟପାଠରେ ବିରାଟ ତାରତମ୍ୟ ସାମନାକୁ ଆସିଛି । କୁଚିଣ୍ଡାର ବିଜେଡି ପ୍ରାର୍ଥୀ ଭୁବନେଶ୍ୱର କିସାନ ନିର୍ବାଚନ କମିଶନଙ୍କୁ ୨୦୧୪ ମସିହା ମେ ୮ ତାରିଖରେ ଦଳ ୫ ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଛି । ମାତ୍ର , ଭୁବନେଶ୍ୱର କିସାନ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ସେ ଦଳ ପକ୍ଷରୁ କୌଣସି ଟଙ୍କା ପାଇନଥିବା ଦର୍ଶାଇଛନ୍ତି । ସେହିପରି ନବରଙ୍ଗପୁର ସାଂସଦ ଇଂ, ବଳଭଦ୍ର ମାଝୀଙ୍କୁ ଦଳ ସାଢ଼େ ୭ ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଥିବାବେଳେ ସେ ଦଳ ପକ୍ଷରୁ କୌଣସି ଟଙ୍କା ପାଇନଥିବା ଦର୍ଶାଇଥିଲେ । ଅନ୍ୟପଟରେ ତତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମପମ ସେତିକିବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ଦଳ ତରଫରୁ ୫ ଲକ୍ଷ ଟଙ୍କା ପାଇଥିବା ଦଳ ଦର୍ଶାଇଥିବାବେଳେ ସେ ତାହାକୁ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଂଜାମର ଜିଲ୍ଲାପାଳ ହାଇକୋର୍ଟରେ ଆବେଦନ କରିଛନ୍ତି ଯେ ଚାଲିିଥିବା ମାମଲା ଖାରଜ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ପଦ ମର୍ଯ୍ୟାଦାରେ ଏଭଳି ଏକ ମାମଲା ଆଂଚ୍ ଆଣିଛି ବୋଲି ଏହି ପିଟିସନରେ ଗଂଜାମର ଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ପ୍ରେମ୍ ଚନ୍ଦ୍ର ଚୌଧୁରୀ ଦର୍ଶାଇଛନ୍ତି ।

ହାଇକୋର୍ଟରେ ଦାଖଲ ହୋଇଥିବା ଗଂଜାମ ଜିଲ୍ଲାପାଳଙ୍କ ଏହି ସତ୍ୟପାଠଟି ଜାରି ରହିଥିବା ବିଜେଡିର ନିର୍ବାଚନ ପାଣ୍ଠି ବିବାଦକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି । ଗଂଜାମର ଜିଲ୍ଲାପାଳ ପ୍ରେମ୍ ଚନ୍ଦ୍ର ଚୌଧୁରୀ କୋର୍ଟକୁ କହିଛନ୍ତି- ଏହା ଏକ ନିର୍ବାଚନ ବିବାଦ ହୋଇନଥିବାରୁ ଗୋଟିଏ ବର୍ଷ ପରେ ଏହାକୁ ପୁଣି ଥରେ ଯୁକ୍ତିଯୁକ୍ତ ନୁହେଁ । ଆର୍ଥିକ କାରବାର ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆସରିଥିବା ବେଳେ ଏବଂ କମିଶନ ଏହାକୁ ଗ୍ରହଣ କରିସାରିଥିବା ବେଳେ ତୃତୀୟ ପକ୍ଷର କଥାରେ ଏହାକୁ ପୁଣିଥରେ ଆରମ୍ଭ କରିବା ଉଚିତ ହେବ ନାହିଁ ।

ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦବୀରେ ରହିଥିବାରୁ ଏବଂ ଆବେଦନକାରୀ ସିଧାସଳଖ ଏସଂପର୍କରେ ଗଣମାଧ୍ୟମକୁ ଯାଉଥିବାରୁ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ଏ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତିହୀନ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଆବେଦନକାରୀ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବା ଭୋଟର ନୁହନ୍ତି । ତେଣୁ ଆବେଦନକାରୀଙ୍କ ଏହି ମାମଲା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲ୍ଲାପାଳ ଦର୍ଶାଇଛନ୍ତି ।