ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ : କୋରାପୁଟ ଡୋକରୀ ଘାଟିରେ ଯବାନ, ନକ୍ସଲ ମୁହାଁମୁହିଁ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ଅସ୍ତ୍ରଶସ୍ତ୍ର ଜବତ

34

କନକ ବ୍ୟୁରୋ : ପୁଲିସକୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ , ୩ ମାଓବାଦୀ ନିହତ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଂଚଳର ଡୋକରୀ ଘାଟିରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଆହୁରି କିଛି ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ତଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି । ଜଙ୍ଗଲରେ ମାଓବାଦୀଙ୍କ ଅବସ୍ଥିତି ଜାଣିବା ପରେ ଡିଭିଏଫ୍ ଓ ଏସଓଜି ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳି ଚଳାଇଥିଲେ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

ସେପଟେ ଶନିବାର ମାଲକାନଗିରି ପୁଲିସକୁ ମିଳିଥିଲା ବଡ ସଫଳତା । ସୁକମା କିସ୍ତରାମ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ । ସେମାନଙ୍କ ନିକଟରୁ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କମ୍ବିଂବେଳେ ପୁଲିସ ହାତରେ ଧରାପଡିଛନ୍ତି ମାଓବାଦୀ । କିସ୍ତରାମ ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଏସଓଜି ଓ ଡିଭିଏଫ ଯବାନମାନେ କମ୍ବିଂ ଅପରେସନରେ ବାହାରି ଡୋକରୀ ଘାଟି ଜଙ୍ଗଲରେ ପଶିଥିଲେ। ଏହି ଜଙ୍ଗଲରେ କ୍ୟାମ୍ପ କରିଥିବା ମାଓବାଦୀ ହଠାତ କ୍ୟାମ୍ପ ଉଠାଇ ପଳାଇ ଯିବାକୁ ସମୟ ପାଇନଥିଲେ। ତେଣୁ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଯବାନଙ୍କ ପ୍ରବଳ ଆକ୍ରମଣର ମୁକାବିଲା କରିନପାରି ମାଓବାଦୀ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ମାଓ କ୍ୟାମ୍ପକୁ ନିଜ ନିୟନ୍ତ୍ରଣକୁ ନେଇ ଯବାନମାନେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ଗୁଳି ବିନିମୟରେ କିଛି ମାଓବାଦୀ ମୃତାହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ରାତି ଅଧିକ ହୋଇଯାଇଥିବାରୁ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ତେବେ ମୃତାହତଙ୍କ ସଂଖ୍ୟା ନେଇ ପୁଲିସ ସଠିକ ସୂଚନା ଦେଇପାରୁନାହିଁ ।