କେନ୍ଦ୍ରାପଡାରେ ମିଳିଲା ତେଲର ସନ୍ଧାନ: ମାର୍ଶାଘାଇ ବ୍ଲକ୍ ଯମପଡା ପଞ୍ଚାୟତର ଗଉଡ ଗାଁରେ ମିଳିଛି ହାଇଡ୍ରୋକାର୍ବନର ସନ୍ଧାନ

3,748

କନକ ବ୍ୟୁରୋ: କେନ୍ଦ୍ରାପଡାରେ ମିଳିଲା ତେଲର ସନ୍ଧାନ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଂଚାୟତର ଗଉଡ ଗାଁରେ ମିଳିଛି ହାଇଡ୍ରୋକାର୍ବନର ସନ୍ଧାନ । ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାଖରେ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଥିବା ସୂଚନା ମିଳିଛି । ଏନେଇ ଅଏଲ ଇଣ୍ଡିଆ କମ୍ପାନୀ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ଯେଉଁ ସ୍ଥାନରେ ଅଶୋଧିତ ତୈଳର ସନ୍ଧାନ ମିଳିଛି, ସେହି ସ୍ଥାନର ଜମି ମାଲିକଙ୍କ ଠାରୁ ଲିଜ୍ରେ ଜମି ନିଆଯାଇଛି । ଏନେଇ ପ୍ରାୟ ୧୧୪ଜଣ ସ୍ଥାନୀୟ ଲୋକଙ୍କଠାରୁ ଲିଜ୍ରେ ଜମି କିଣାଯାଇଛି । ଏହା ବାବଦକୁ ଜମିମାଲିକଙ୍କୁ ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଅନୁକମ୍ପା ରାଶି ଦିଆଯାଇଛି ସୂଚନା ରହିଛି । ଯମପଡା ରାଜଶ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ ଇଣ୍ଡିଆ କମ୍ପାନୀ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଖୁବଶୀଘ୍ର ମାଟି ଖୋଳିବା କାମ ଆରମ୍ଭ ହେବା ସୂଚନା । ପ୍ରଥମ ପର୍ଯ୍ୟାୟରେ ୧୪୫ ଫୁଟର ଡ୍ରିଲିଂ ପାଇଁ ଆବଶ୍ୟକ ହେଉଥିବା ରିକ୍ ମେସିନ୍ ସାହାଯ୍ୟରେ ପ୍ରାୟ ୨୫ଶହ ମିଟର ମାଟି ତଳକୁ ଡ୍ରିଲ କରାଯାଇ କେତେ ପରିମାଣର ତୈଳ ଗଚ୍ଛିତ ଅଛି ତାହା ଅସୁସନ୍ଧାନ କରାଯିବ । ନିକଟରେ ପୁରୀ ଜିଲ୍ଲା ଗୋପ ଅଂଚଳରେ ବି ଅଶୋଧିତ ତେଲ ନେଇ ସୂଚନା ମିଳିଥିଲା । ଗୋପ ମାଟିତଳେ ଅଶୋଧିତ ତେଲ ଓ ପ୍ରକୃିତ ଗ୍ୟାସ ଥିବାର ସନ୍ଧାନ ମିଳିବା ପରେ ଅଏଲ ଇଣ୍ଡିଆ ପକ୍ଷରୁ ସେଠାରେ ମଧ୍ୟ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସେଠାରେ କାମ ଜାରି ରହିଛି ।

କେନ୍ଦ୍ରାପଡ଼ା ମାଟିତଳେ ତେଲ?
– କେନ୍ଦ୍ରାପଡା଼ ଜିଲ୍ଲା ମାର୍ଶାଘାଇ ବ୍ଲକ ଗଉଡ଼ ଗାଁରେ ତେଲ ସନ୍ଧାନ!
– ମାଟିତଳେ ହାଇଡ୍ରୋକାର୍ବନର ସନ୍ଧାନ ମିଳିଥିବା ସୂଚନା!
– ମାଟିତଳେ ତେଲ ଥିବା ନେଇ ୧୪ଏକର ୭୪ ଡିସିମିଲ ଜମି ଚିହ୍ନଟ
– ଗ୍ରାମବାସୀଙ୍କ ଠାରୁ ଜମି ଲିଜ୍ରେ ନେଲା ଅଏଲ ଇଣ୍ଡିଆ
– ୧୧୪ଜଣ ସ୍ଥାନୀୟ ଲୋକଙ୍କ ଜମି ଲିଜ୍ରେ ନେଲା ଅଏଲ ଇଣ୍ଡିଆ
– ଲିଜ୍ ବାବଦକୁ ଜମି ମାଲିକଙ୍କୁ ଦିଆଯାଇଛି ୧ କୋଟି ୬୩ ଲକ୍ଷର ଅନୁକମ୍ପା ରାଶି
– ୩ ବର୍ଷ ପାଇଁ ଜମି ଲିଜ୍ରେ ନେବ ଅଏଲ ଇଣ୍ଡିଆ