ମନ୍ତ୍ରୀପଦ ପାଇଁ ଲବି କରିନଥିଲି, ଅସନ୍ତୁଷ୍ଟ ସମର୍ଥକଙ୍କୁ ବୁଝାଇଛି : ସୁଶାନ୍ତ ସିଂ 

691

କନକ ବ୍ୟୁରୋ :  ନବୀନଙ୍କ ନୂଆ ଟିମ୍, ଶପଥ ନେଲେ ୩ ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ମନ୍ତ୍ରୀପଦ ରେସରେ ସୁଶାନ୍ତଙ୍କ ନାଁ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ସୁଶାନ୍ତ କହିଛନ୍ତି, ମନ୍ତ୍ରୀପଦ ନମିଳିବାକୁ ନେଇ ସମର୍ଥକଙ୍କ ଭିତରେ ଅସନ୍ତୋଷ ରହିଛି । ତେବେ ତାଙ୍କ ସମର୍ଥକକୁ ସେ ବୁଝାସୁଝା କରିଛନ୍ତି । ମନ୍ତ୍ରୀପଦ ପାଇଁ ସେ କୌଣସି ଲବି କରିନଥିଲେ । କିନ୍ତୁ ମନ୍ତ୍ରୀପଦ ମିଳିବ ବୋଲି ସମର୍ଥକଙ୍କର ଆଶା ଥିଲା । ସେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରୁଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ଉପରେ ଆଶୀର୍ବାଦ ରହିଛି । କନକ ନ୍ୟୁଜକୁ ଫୋନ୍ ଯୋଗେ ପ୍ରତିକ୍ରିୟା ଦେଇ ପୂର୍ବତନ ମନ୍ତ୍ରୀ ଏହା କହିଛନ୍ତି । ଦଳ ଭିତରେ ତାଙ୍କର କାହା ସହିତ କଳି ନାହିଁ । ସେ ସମସ୍ତଙ୍କୁ ନିଜର ବୋଲି ଭାବନ୍ତି ବୋଲି କହିଛନ୍ତି ସୁଶାନ୍ତ । ଦୀପାଳିଙ୍କ ସହ ମୋର କୌଣସି ମତାନ୍ତର ନାହିଁ । ଝାରସୁଗୁଡାରେ ୧୨ ଦିନ ଧରି ପ୍ରଚାର କରିଛି । ମୁଁ ସବୁ ବ୍ଲକ ବୁଲି ପ୍ରଚାର କରିଛି ।

ଅନ୍ୟପଟେ ଦୁଇ ଜଣଙ୍କ କଳିରେ ତୃତୀୟ ଜଣଙ୍କ ଲାଭ ହେଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ରାଉରକେଲାର ବିଧାୟକ ଶାରଦା ନାୟକ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏଭଳି ଏକ ଚର୍ଚ୍ଚା ହେଉଛି  । ଶପଥ ସମାରୋହ ବେଳେ ପ୍ରାୟତଃ ସମସ୍ତେ ଉପସ୍ଥିତ ଥିଲେ । କିନ୍ତୁ ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ଦେଖିବାକୁ ମିଳିନଥିଲା । ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କିନ୍ତୁ ଉପସ୍ଥିତ ଥିଲେ । ଦୀପାଳି ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରିବାର ଓ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟବସାୟିକ କାରଣକୁ ନେଇ ମନାନ୍ତର ରହିଛି ବୋଲି ଚର୍ଚ୍ଚା ହୁଏ ।

ଉପନିର୍ବାଚନ ପରେ ହଠାତ୍ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ଦୀପାଳିଙ୍କୁ ସରପ୍ରାଇଜ ଗିଫ୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ ସୁଶାନ୍ତ ଏବଂ ଦୀପାଳିଙ୍କ ମଧ୍ୟରେ ଥିବା ମନାନ୍ତର ପାଇଁ ଏହାର ଲାଭ ଶାରଦା ନାୟକ ପାଇଛନ୍ତି ବୋଲି କୁହାଯାଉଛି । ଯିଏକି ଉପନିର୍ବାଚନ ଦାୟିତ୍ୱରେ ଥିଲେ । ଶାରଦା ୨୦୧୨ ପରେ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଆଉ ଫେରିପାରିନଥିଲେ । ୨୦୧୪ରେ ରାଉରକେଲାରୁ ପରାଜିତ ହୋଇଥିଲେ । ୨୦୧୯ରେ ବିଜୟୀ ହୋଇଥିଲେ ମଧ୍ୟ ସୁପ୍ରିମୋଙ୍କ ଭରସା ଜିତିପାରିନଥିଲେ । ୨୦୧୨ରେ ମିଡ୍ ନାଇଟ୍ ଅପରେସନ ପରଠୁ ଶାରଦା ମନ୍ତ୍ରୀ ମଣ୍ଡଳରୁ ବାହାରେ ରହିଥିଲେ ।