ସୁଶାନ୍ତ ଓ ଦୀପାଳିଙ୍କ କଳିରୁ ଶାରଦାଙ୍କୁ ମନ୍ତ୍ରିପଦ ମିଳିଥିବା ଚର୍ଚ୍ଚା: ୨୦୧୨ ମିଡ୍ ନାଇଟ ଅପରେସନପରଠୁ ନବୀନଙ୍କ ଗୁଡ ବୁକରେ ନଥିଲେ ଶାରଦା ନାୟକ

2,063

କନକ ବ୍ୟୁରୋ: ଦୁଇ ଜଣଙ୍କ କଳିରେ ତୃତୀୟ ଜଣଙ୍କ ଲାଭ? ରାଉରକେଲାର ବିଧାୟକ ଶାରଦା ନାୟକ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏଭଳି ଏକ ଚର୍ଚ୍ଚା ହେଉଛି । ଆଜି ଲୋକସେବା ଭବନରେ ତିନି ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଯେଉଁଥିରେ ସାରଦା ନାୟକ ରହିଛନ୍ତି । ଶପଥ ସମାରୋହ ବେଳେ ପ୍ରାୟତଃ ସମସ୍ତେ ଉପସ୍ଥିତ ଥିଲେ । କିନ୍ତୁ ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ଦେଖିବାକୁ ମିଳିନଥିଲା । ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କିନ୍ତୁ ଉପସ୍ଥିତ ଥିଲେ । ଦୀପାଳି ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରିବାର ଓ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟବସାୟିକ କାରଣକୁ ନେଇ ମନାନ୍ତର ରହିଛି ବୋଲି ଚର୍ଚ୍ଚା ହୁଏ । ଯେଉଁଥିପାଇଁ ଝାରସୁଗୁଡା ଉପନିର୍ବାଚନ ପ୍ରଚାର ତାଲିକାରେ ସୁଶାନ୍ତ ସିଂହଙ୍କ ନାଁ ଥିଲେ ମଧ୍ୟ ସେ ପ୍ରଚାର ମୈଦାନକୁ ଓହ୍ଲାଇ ନଥିଲେ । କିନ୍ତୁ ଉପନିର୍ବାନ ପରେ ହଠାତ୍ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ଦୀପାଳିଙ୍କୁ ସରପ୍ରାଇଜ ଗିଫ୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ ସୁଶାନ୍ତ ଏବଂ ଦୀପାଳିଙ୍କ ମଧ୍ୟରେ ଥିବା ମନାନ୍ତର ପାଇଁ ଏହାର ଲାଭ ଶାରଦା ନାୟକ ପାଇଛନ୍ତି ବୋଲି କୁହାଯାଉଛି । ଯିଏକି ଉପନିର୍ବାଚନ ଦାୟିତ୍ୱରେ ଥିଲେ । ଶାରଦା ୨୦୧୨ ପରେ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଆଉ ଫେରିପାରିନଥିଲେ । ୨୦୧୪ରେ ରାଉରକେଲାରୁ ପରାଜିତ ହୋଇଥିଲେ । ୨୦୧୯ରେ ବିଜୟୀ ହୋଇଥିଲେ ମଧ୍ୟ ସୁପ୍ରିମୋଙ୍କ ଭରସା ଜିତିପାରିନଥିଲେ । ୨୦୧୨ରେ ମିଡ୍ ନାଇଟ୍ ଅପରେସନ ପରଠୁ ଶାରଦା ମନ୍ତ୍ରୀ ମଣ୍ଡଳରୁ ବାହାରେ ରହିଥିଲେ । ଏବେ ନିର୍ବାଚନକୁ ଆଉ ବର୍ଷଟିଏ ବାକି ଥିବା ବେଳେ ସାରଦାଙ୍କ କମବ୍ୟାକ୍ ଅନେକ ଇସାରା ଦେଉଛି । ସେ ପୁଣିଥରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭରସା ଜିତିପାରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।