Femina Miss India ହେବା ପରେ ବି ବାପା ଚଳାଉଛନ୍ତି ଅଟୋ । ନିଜ ସଂଘର୍ଷର କଥା କହି କାନ୍ଦି ପକାଇଲେ ମାନ୍ୟା ।

153

କନକ ବ୍ୟୁରୋ: ଆରମ୍ଭ ହୋଇଯାଇଛି ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସ୍ । ସଲମାନ୍ ଖାନ୍ କଣ୍ଟେଷ୍ଟାଣ୍ଟ ମାନଙ୍କୁ ଗ୍ରାଣ୍ଡ ଅନ୍ଦାଜରେ ସ୍ୱାଗତ ଜଣାଇଛନ୍ତି । ବିଗବସ୍ ଘରେ ଏଥର ଏଣ୍ଟ୍ରି କରିଛନ୍ତି ଫେମିନା ମିସ୍ ଇଣ୍ଡିଆ ମାନ୍ୟା ସିଂହ । ନିଜ ସ୍ୱପ୍ନକୁ ସାକାର କରିବାକୁ ଶୋ’ରେ ଏଣ୍ଟ୍ରି କରିଥିବା କହିଛନ୍ତି ମାନ୍ୟା । ଏହି ପ୍ଲାଟଫର୍ମରେ ପୁରା ନିଷ୍ଠାର ସହ ନିଜ ପ୍ରତିଭାକୁ ଦେଖାଇବେ ଏବଂ ସଫଳତାକୁ ଅପେକ୍ଷା କରିବେ ବୋଲି କହିଛନ୍ତି ।
ମିସ୍ ଇଣ୍ଡିଆ ରନର୍ସ ଅପ୍ ମାନ୍ୟା ସିଂହ ଶୋ’ରେ ପ୍ରବେଶ କରିବା ସହ ନିଜ ସଂଘର୍ଷ କାହାଣୀକୁ ବଖାଣିଥିଲେ ମାନ୍ୟା । ଏକଥା କହିବା ବେଳେ ନିଜେ ଭାବବିହ୍ୱଳ ହେବା ସହ ସେଠାରେ ଉପସ୍ଥିତ ଅନ୍ୟ କଣ୍ଟେଷ୍ଟାଣ୍ଟଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା ।

ମାନ୍ୟା କହିଥିଲେ, ‘ସମସ୍ତେ ଭାବନ୍ତି ମିସ୍ ଇଣ୍ଡିଆ ହୋଇଗଲା ପରେ ଜୀବନ ବଦଳିଯାଏ । ବହୁତ ପଇସା ମିଳିବା ସହ ଅନେକ ସୁଖସୁବିଧା ମିଳେ । କିନ୍ତୁ ବାସ୍ତବତା କିନ୍ତୁ ଭିନ୍ନ । ମିସ୍ ଇଣ୍ଡିଆ ଫେମିନା ହେବା ପରେ ବି ତାଙ୍କୁ ଆଜିଯାଏଁ କିଛି କାମ ମିଳିଲା ନାହିଁ । ଅତି କଷ୍ଟରେ ତାଙ୍କୁ ଗୋଟିଏ ମାତ୍ର କର୍ସିଆଲ ମିଳିଥିଲା । ବାସ୍ ସେତିକି । ୨ ବର୍ଷ କାଳ ଅତି ମାନସିକ ବିଷାଦ ଭିତରେ ସେ ଗତି କରିଛନ୍ତି । ଆଜି ବି ତାଙ୍କ ବାପା ଅଟୋ ଚଳାଇ ପରିବାର ପୋଷୁୁଛନ୍ତି । ସେ ମଧ୍ୟ ଯୁଆଡେ ଯାଉଛନ୍ତି ବାପାଙ୍କ ଅଟୋରେ ଯାଉଛନ୍ତି । ଏହାଦ୍ୱାରା ତାଙ୍କର ପଇସା ବଞ୍ଚିଯିବ ବୋଲି ଏପରି କରୁଛନ୍ତି । ଆଉ ମା’ ଏକ ପାର୍ଲର ଚଳାଉଥିବାବେଳେ ଏବେବି ଲୋକାଲ ଟ୍ରେନରେ ଯିବା ଆସିବା କରୁଛନ୍ତି । ତାଙ୍କ ପରିବାରର ଆର୍ଥିକ ସ୍ଥିତିରେ କିଛି ବି ସୁଧାର ହୋଇନାହିଁ । ଏତେ ପରିଶ୍ରମ ପରେ ବି ତାଙ୍କ ବାପା, ମା’ଙ୍କୁ କିଛି ବି ସହଯୋଗ କରିପାରୁନାହାଁନ୍ତି । ଖାଲି ଏତିକି ନୁହେଁ ତାଙ୍କର ଶ୍ୟାମଳ ବର୍ଣ୍ଣ ଯୋଗୁଁ ଲୋକ ତାଙ୍କୁ ଟାହିଟାପରା ମଧ୍ୟ କରୁଛନ୍ତି ବୋଲି କହି କାନ୍ଦ କାନ୍ଦ ହୋଇଯାଇଥିଲେ ମାନ୍ୟା ।

ହେଲେ ମାନ୍ୟାଙ୍କୁ ସାହାସ ଦେଇଥିଲେ ସଲମାନ୍ । ମାନ୍ୟାଙ୍କ ଷ୍ଟ୍ରଗଲ ଷ୍ଟୋରୀ ଶୁଣିବା ପରେ ସଲମାନ ଖୁବ ଇମ୍ପ୍ରେସ୍ ହୋଇଥିବା ଜଣାପଡୁଥିଲେ । ବିଗ୍ ବସରୁ ହିଁ ତାଙ୍କୁ ସବୁକିଛି ମିଳିବ ବୋଲି କହିଥିଲେ ସଲମାନ୍ ।

ଉତ୍ତରପ୍ରଦେଶର ଏକ ଛୋଟିଆ ଗାଁର ବାସିନ୍ଦା ମାନ୍ୟା ସିଂହ । ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ମାନ୍ୟା । ବାପା, ଅଟୋ ଚଲାନ୍ତି, ମା’ ପାର୍ଲରରେ କାମ କରନ୍ତି । ଏପରି ପରିବାର ଝିଅ ପକ୍ଷେ ବଡ ସ୍ୱପ୍ନ ଦେଖିବା ଏକ ଚ୍ୟାଲେଞ୍ଜ । ତଥାପି ପିଲାଟିବେଳୁ ବଡ ସ୍ୱପ୍ନ ଦେଖିଥିଲେ ମାନ୍ୟା । ଖୁବ କମ ବୟସରୁ ମିସ୍ ଇଣ୍ଡିଆ ହେବାକୁ କଳ୍ପନା କରୁଥିଲେ । ହେଲେ ପାରିବାରିକ ସ୍ଥିତିକୁ ଦେଖି ଝିଅର ଏପରି ଇଚ୍ଛାକୁ ବାରଣ କରିଥିଲେ ବାପା । ଏପରି ଇଚ୍ଛା ନକରି ବରଂ ଭଲ ପାଠ ପଢି କ୍ୟାରିୟର କରିବାକୁ କହିଥିଲେ । ହେଲେ ମାନୁନଥିଲା ମାନ୍ୟାଙ୍କ ମନ ।

ସ୍କୁଲ ଯିବାବେଳେ ବ୍ୟାଗରେ ବହି ଖାତା ସାଙ୍ଗରେ ନେଇଯାଉଥିଲେ ହାଇ ହିଲ । ସ୍କୁଲ ପରେ କୌଣସି ଖାଲି ସ୍ଥାନକୁ ଯାଇ ର୍ୟାମ୍ପ ଚାଲିବା ଅଭ୍ୟାସ କରୁଥିଲେ । ଟିଭିରେ ମଡେଲ ମାନଙ୍କୁ ଦେଖି ସେଭଳି ବ୍ୟହାର କରିବାକୁ ଚେଷ୍ଟା କରୁଥିଲେ ସମୟ କ୍ରମେ ମାନ୍ୟା ପାଠ ପଢିଲେ । ଆଉ ନିଜ ଇଚ୍ଛାକୁ ପୂରଣ କରିବାକୁ ମୁମ୍ବାଇ ଚାଲିଗଲେ ।ସେଠାରେ କିଛି କାମ କରିବା ସହ ମିସ୍ ଇଣ୍ଡିଆ ହେବାକୁ ଯାହା ସବୁ ଯୋଗ୍ୟତା ଦରକାର ସେଥିପାଇଁ ନିଜକୁ ପ୍ରସ୍ତୁତ କଲେ । ଏକାଧିକ ଭାଷା ଶିଖିବା ସହ ନିଜକୁ ଦକ୍ଷ କରିଥିଲେ । ଏବଂ ୨୦୨୧ ଫେବ୍ରୁଆରୀ ରେ ନିଜ ଇଚ୍ଛାକୁ ସାକାର ରୂପ ଦେଲେ । ମିସ୍ ଇଣ୍ଡିଆ କଣ୍ଟେଷ୍ଟ ରନର୍ସ ହେଲେ ଜଣେ ଅଟୋ ଡ୍ରାଇଭରଙ୍କ ଝିଅ ଏହା ଥିଲା ସବୁଠୁ ବଡ ସଫଳତା ।