ଏବେ ନକଲି ଔଷଧ ବ୍ୟବସାୟ ଉପରେ ଲାଗିବ ରୋକ୍, ଚିହ୍ନଟ କରିବାକୁ ସରକାର ଆଣୁଛନ୍ତି କ୍ୟୁ ଆର କୋର୍ଡ

91

କନକ ବ୍ୟୁରୋ : ଏବେ କିଛିଦିନ ହେବ ବଜାରରେ ନକଲି ଔଷଧକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ କିଛି ବ୍ୟବସାୟୀ ଓ ଔଷଧ ଦୋକାନୀଙ୍କ ଉପରେ ପ୍ରଶାସନ ଚଢାଉ କରିଛି । ଏହାସହ କିଛି ଅପରାଧୀଙ୍କୁ ଏହି ମାମଲାରେ ମଧ୍ୟ ଗିରଫ କରାଯାଇଛି । ଏସବୁ ଭିତରେ ସରକାର ନକଲି ଔଷଧ ଚିହ୍ନଟ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାକୁ ଟ୍ରାକ୍ ଆଣ୍ଡ ଟ୍ରେସ ବୋଲି କୁହାଯାଉଛି । ଏଥିରେ ଔଷଧ ନିର୍ମାତା କମ୍ପାନୀମାନଙ୍କ ଦ୍ୱାରା ସର୍ବାଧିକ ବିକ୍ରି ହେଉଥିବା ୩୦୦ ପ୍ରକାରର ଔଷଧ ପ୍ୟାକେଟ ଉପରେ ବାର କୋର୍ଡ ବା କ୍ୟୁ ଆର କୋର୍ଡ ପ୍ରିଣ୍ଟ କରିବେ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ୧୦୦ ଟଙ୍କାରୁ ଅଧିକ ଦାମର ଔଷଧ ଉପରେ ପ୍ରାଥମିକ ପର୍ଯ୍ୟାୟରେ ଔଷଧ କମ୍ପାନୀମାନେ ଏହି ବାରକୋର୍ଡ ପ୍ରିଣ୍ଟ କରିବେ । ଫଳରେ ଗ୍ରାହକମାନେ ଏହି ବାରକୋର୍ଡରୁ ଔଷଧ ଅସଲି କି ନକଲି ତାହା ଚିହ୍ନି ପାରିବେ । ସରକାର ଏହି ବ୍ୟବସ୍ଥା ୧୦ ବର୍ଷ ତଳୁ ଆରମ୍ଭ କରିଥିଲେ । ହେଲେ ଘରୋଓ ଔଷଧ କମ୍ପାନୀମାନେ ପ୍ରସ୍ତୁତିରେ ବିଳମ୍ବ କାରଣରୁ ଏହା ଏପର୍ଯ୍ୟନ୍ତ ସଫଳ ହୋଇପାରି ନଥିଲା ।

ସୂଚନା ଥାଉକି ଏବେ ନକଲି ଔଷଧ ନେଇ ତେଲେଙ୍ଗାନା ଡ୍ରଗ୍ସ ଅଥରେଟି ଏକ ବଡ ମାମଲା ଉଜାଗର କରିଛନ୍ତି । ଥାଇରଏଡ ପାଇଁ ବ୍ୟବହାର ହେଉଥିବା ଔଷଧ ଥଇରୋନର୍ମର ଗୁଣବର୍ତ୍ତା ଖରାପ ଥିବା ଜାଣିବାକୁ ପାଇଥିଲେ । ଏହାପରେ ଏହି ଔଷଧ କମ୍ପାନୀ ଏମ୍ବାଟ ତରଫରୁ କୁହାଯାଇଥିଲା କି ଏହି ଔଷଧ ସମ୍ପୂର୍ଣ୍ଣ ନକଲି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ନିମ୍ନ ଓ ମଧ୍ୟମ ଆୟ ଦେଶଗୁଡିକରେ ପାଖାପାଖି ୧୦ ପ୍ରତିଶତ ମେଡିକାଲ ଉତ୍ପାଦ ନିମ୍ନମାନର ।