ଚାଇନାରେ ଏବେ ଭୂତାଣୁକୁ ନେଇ ବଢୁଛି ଭୟ: ଜିରୋ କୋଭିଡ ପଲିସି ହଟାଇଲେ ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞଙ୍କ ଆକଳନ

112

କନକ ବ୍ୟୁରୋ: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ତାଣ୍ଡବ ରଚୁଛି ଓମିକ୍ରନ ଭୂତାଣୁ । ଉହାନ, ବେଜିଂ ଓ ସାଂଘାଇର ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଏହା ଭିତରେ ବଡ ଚିନ୍ତାର କାରଣ ପାଲଟିଛି ନୂଆ ତଥ୍ୟ । ସାଂଘାଇ ଫୁଡନ ବିଶ୍ୱବିଦ୍ୟାଳୟର ଅଧ୍ୟୟନ କହୁଛି, ଯଦି ଦେଶରୁ ଜିରୋ କୋଭିଡ ପଲିସିକୁ ହଟାଯାଏ ତେବେ ଚୀନରେ ଆସିପାରେ କରୋନାର ସୁନାମୀ । କୋଭିଡ ସଂକ୍ରମଣ ଓ ମୃତ୍ୟୁକୁ ନେଇ ଦେଶରେ ସ୍ଥିତି ଅଣାୟତ ହୋଇପାରେ । ଅଧ୍ୟୟନରେ ଏକଥା ମଧ୍ୟ କୁହାଯାଇଛି କି ମେ ମାସ ୩ୟ ସପ୍ତାହରୁ ଜୁଲାଇ ମାସ ଭିତରେ ଯଦି ପ୍ରତିବନ୍ଧକ କୋହଳ କରାଯାଏ, ତେବେ ଦେଶରେ ପାଖାପାଖି ୧୧କୋଟି ୨୨ଲକ୍ଷ ଅଧିକ ସଂକ୍ରମିତ ହେବା ସହ ୫୦ଲକ୍ଷରୁ ଅଧିକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇପାରନ୍ତି । ଏଥିସହ ୧୨ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା ରହିଛି ।

ସାଂଘାଇର ଫୁଡନ ବିଶ୍ୱବିଦ୍ୟାଳୟର ଏଭଳି ଆକଳନ ଯଦି ସତ ହୁଏ ତେବେ ଆଗକୁ ଚୀନର ସ୍ଥିତି କେତେ ଭୟାବହ ହେବ ଓ ସାରା ବିଶ୍ୱ ଉପରେ ଏହାର ଯେଉଁ ଗଭୀର ପ୍ରଭାବ ପଡିବ ସେକଥା ସହଜରେ ଅନୁମାନ କରାଯାଉଛି । ବିଗତ ଦୁଇବର୍ଷର ଚିତ୍ର ତୁଳନାରେ ଅଧିକ ସାଂଘାତିକ ହୋଇପାରେ ଚୀନରେ କରୋନା ସ୍ଥିତି ।

ଜିରୋ କୋଭିଡ ପଲିସିକୁ ନେଇ ଫୁଡନ ବିଶ୍ୱବିଦ୍ୟାଳୟର ଆକଳନ ଭୟକୁ ଦ୍ୱିଗୁଣିତ କରିଥିବାବେଳେ ସେପଟେ ଭିନ୍ନ ମତ ରଖିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓ କହିଛି-ଚୀନରେ ଜିରୋ କୋଭିଡ ନୀତି ଫେଲ ମାରିଛି । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁ ବିରୋଧୀ ଲଢେଇ ପାଇଁ ନୂଆ ରଣନୀତି ଆପଣାଇବା ଆବଶ୍ୟକ । ଏଥିସହ ଜିିରୋ କୋଭିଡ ପଲିସି ନାଁରେ ଚୀନ ସରକାର ନିଜ ଦେଶବାସୀଙ୍କ ଉପରେ ଯେଉଁ ଅମାନବୀୟ ଅତ୍ୟାଚାର କରୁଛନ୍ତି ସେନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓର ଏମରେଜନ୍ସି ଡିରେକ୍ଟର ମାଇକେଲ ରୟାନ କହିଛନ୍ତି କି ଚୀନ ସରକାର ମାନବୀୟ ଅଧିକାରକୁ ସମ୍ମାନ ଦେବା ଉଚିତ । ମାନବୀର ଅଧିକାରକୁ ସମ୍ମାଜ ଜଣାଇ, ଦେଶର ଆର୍ଥିକ ସ୍ଥିତିରେ ସନ୍ତୁଳନ ବଜାୟ ରଖି କରୋନା ବିରୋଧୀ ଲଢେଇ ପାଇଁ ଚୀନ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ।

କୋଭିଡ ସଂକ୍ରମଣ ରୋକିବା ପାଇଁ ଚୀନ ସରକାର ଦୀର୍ଘ ଦୁଇବର୍ଷ ହେବ ଜିିରୋ କୋଭିଡ ପଲିସି ଲାଗୁ କରିଛନ୍ତି । ଶକ୍ତ କଟକଣା ସତ୍ୱେ ଏହା ସଂକ୍ରମଣକୁ ରୋକିବାରେ ଫେଲ ମାରୁଛି । ପଲିସି ବିଫଳ ହେବା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହି ବୟାନ ହୁଏତ ଚୀନ ପାଇଁ ବଡ ସର୍ତକବାଣୀ ହୋଇପାରେ ।

ଭାରତରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ମଙ୍ଗଳବାର ତୁଳନାରେ ବୁଧବାର ୨୬ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨୮୯୭ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୫୪ଜଣଙ୍କ ଜୀବନ ଯାଇଛି । ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର, ଉତରପ୍ରଦେଶ,ହରିଆଣା ଓ କେରଳରେ ସଂକ୍ରମଣ ବୃଦ୍ଧି ପାଉଛି । ଦେଶରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ଦିଲ୍ଲୀରୁ ୩୯ ପ୍ରତିଶତ ସଂକ୍ରମିତ ରହିଛନ୍ତି