ଅସାନି ଭସାଇନେଲା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା । ଋଷିକୂଲ୍ୟା ମୁହାଣରେ ଉଚ୍ଚ ଜୁଆର ଯୋଗୁଁ ଭାସିଗଲା ଲକ୍ଷ ଲକ୍ଷ ଅଣ୍ଡା ।

114

କନକ ବ୍ୟୁରୋ : ବେଳାଭୂମିରେ ପଡ଼ି ରହିଛି ଲକ୍ଷାଧିକ କଇଁଛ ଅଣ୍ଡା । ବାତ୍ୟା ଅସାନି ମାଡରେ ଏଗୁଡିକ ନଷ୍ଟ ହୋଇଯାଇଛି । ଗୋଟିଏ ପଟେ ଚଳିତ ଥର ଋଷିକୂଲ୍ୟା ମୁହାଣରେ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡା ଦେଇଥିବା ବେଳେ ସେପଟେ ଏତେ ସଂଖ୍ୟାରେ ଅଣ୍ଡା ନଷ୍ଟ ହେବା ଚିନ୍ତା ବଢ଼ାଇ ଦେଇଛି । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଁଣରେ ଚଳିତ ବର୍ଷ ବିଳମ୍ବରେ ଅଲିଭ୍ ରିଡଲେ କଇଁଛ ସମୂହ ଅଣ୍ଡା ଦାନ କରିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରିଥାନ୍ତା । କିନ୍ତୁ ସମ୍ଭାବ୍ୟ ବାତ୍ୟା ପାଇଁ ଏଥର ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ପ୍ରଭାବିତ ହୋଇଛି ।

ଋଷିକୂଲ୍ୟା ମୁହାଣ ବେଳାଭୂମିରେ ପଡ଼ି ରହିଛି ଶହ ଶହ ନଷ୍ଟ କଇଁଛ ଅଣ୍ଡା । କେଉଁ ଅଣ୍ଡାରୁ ମୃତ ଶାବକ ବାହାରି ତଳେ ପଡିଛନ୍ତି, ପୁଣି କେଉଁ ଅଣ୍ଡା ଭାଙ୍ଗି ଖୋଳପା ରହିଯାଇଛି । ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ସମୁଦ୍ର ଅଲିଭ ରିଡଲେ ଅଣ୍ଡା ପାଇଁ କାଳ ସାଜିଛି । ସମୁଦ୍ରର ଉଚ୍ଚ ଜୁଆର ବେଳାଭୂମିରେ ମାଡ ହୋଇ ଅଲିଭ ରିଡଲେ ଅଣ୍ଡାକୁ ଭସେଇ ନେଇଛି । କିଛି କଇଁଛ ଅଣ୍ଡା ସମୁଦ୍ର ଭିତରକୁ ଜୁଆର ସହ ଭାସି ଯାଇଛି, ଆଉ କିଛି ବେଳାଭୂମିରେ ନଷ୍ଟ ହୋଇ ପଡି ରହିଛି ।

ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଁଣରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦାନ କରିଥିଲେ । ପାଖାପାଖି ୫ କୋଟି ଅଲିଭ୍ ରିଡଲେ ଅଣ୍ଡା ମଧ୍ୟରୁ ଜୁଆର ମାଡରେ ୧୫ରୁ ୨୦ ପ୍ରତିଶତ ନଷ୍ଟ ହୋଇଥିବା କହିଛନ୍ତି ଡିଏଫଓ । କଇଁଛ ଅଣ୍ଡା ନଷ୍ଟ ଖବର ପାଇ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଅଲିଭ ରିଡଲେ ଅଣ୍ଡାରୁ ମେ ଦ୍ୱିତୀୟ ସପ୍ତାହରେ ଛୁଆ ବାହାରିଥାନ୍ତା । କିନ୍ତୁ ବାତ୍ୟା ଅସାନି ଯୋଗୁଁ ଅଲିଭ୍ ରିଡଲେଙ୍କ ପ୍ରଜନନ ପ୍ରକିୟା ବିଗିଡି ଯାଇଛି । ବାତ୍ୟା ପାଇଁ ୧୪ତାରିଖ ଯାଏଁ ସତର୍କସୂଚନା ଜାରି ହୋଇଥିବାରୁ ଅଲିଭ ରିଡଲେ ଅଣ୍ଡାକୁ ସୁରକ୍ଷିତ ରଖିବା ଉପରେ ବନବିଭାଗ ଗୁରୁତ୍ୱ ଦେଉଛି ।