ରାଜ୍ୟର ବିଭିନ୍ନ ସ୍ଥାନରେ ଶହ ଶହ ଚାଷୀ ଅଟକ : ଚାଷୀ ସମାବେଶ ଭଣ୍ଡୁର ପାଇଁ ସରକାରଙ୍କ ଷଡଯନ୍ତ୍ର

23

ଭୁବନେଶ୍ୱର : ସରକାରୀ ଗୁଣ୍ଡାଗିରିି । ଚାଷୀଙ୍କ ଉପରେ ଦମନଲୀଳା ଚଳାଉଛି ପୋଲିସ୍ । ସରକାରୀ କଳକୁ ବ୍ୟବହାର କରି ଚାଷୀଙ୍କ ଉପରେ ବିଜେଡି ସରକାର ବ୍ରିଟିସ ରାଜ ଚଳାଇଥିବା ଅଭିଯୋଗ କରିଛନ୍ତି କୃଷକ ସଂଗଠନର ସଦସ୍ୟମାନେ । ରାଜଧାନୀ ସମାବେଶରେ ଯୋଗ ଦେବାକୁ ଆସୁଥିବା ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇଥିଲା ପୋଲିସ । ବିଭିନ୍ନ ରେଳ ଷ୍ଟେସନରେ ଚାଷୀ ଟ୍ରେନରୁ ଓହ୍ଲାଇବା ମାତ୍ରେ ଅଟକାଇ ଦିଆଯାଇଥିଲା ।

ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଚାଷୀଙ୍କ ପାଇଁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳାନ ଜାରି ରଖିଛି ନବ ନିର୍ମାଣ କୃଷକ ସଂଗଠନ । ଏହି କ୍ରମରେ ଆଜି ସଂଗଠନ ଭୁବନେଶ୍ୱର ଲୋୟର ପିଏମଜିରେ ଏକ ବିଶାଳ ସମାବେଶ କରିବ । ହାଇଟେକ ମେଡିକାଲ ଛକରୁ ହଜାର, ହଜାର ଚାଷୀ ଶୋଭାଯାତ୍ରାରେ ଆସି ନିଜ ହକ୍ର ଲଢେଇ ଲଢିବା ପାଇଁ ଲୋୟର ପିଏମଜିରେ ଏକାଠି ହେବେ । ହେଲେ ଏହାକୁ ଭଣ୍ଡୁର କରିବା ପାଇଁ ପୋଲିସ ପ୍ରଶାସନକୁ ବ୍ୟବହାର କରି ରାଜ୍ୟ ସରକାର ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି ।

ସମାବେଶ ଉପରେ ଅଂକୁଶ ଲଗାଇବା ପାଇଁ ଆଇନ ଶୃଙ୍ଖଳା ନାଁରେ ଚାଷୀ ନେତାମାନଙ୍କୁ ଗିରଫ କରାଯାଇଛି । ଚାଷୀମାନେ ଯେଭଳି ସଂଗଠିତ ହୋଇନପାରିବେ ସେଥିପାଇଁ ବିଭିନ୍ନ ଉପାୟରେ ସେମାନଙ୍କୁ ହଇରାଣ କରାଯାଉଛି । କେତେକ ସ୍ଥାନରେ ଘରେ ପଶି ଚାଷୀ ନେତାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ସେହିପରି ବିଭିନ୍ନ ସ୍ଥାନରୁ ବସଯୋଗେ ଚାଷୀ ଆସିବା ପାଇଁ ଆଗ୍ରୀମ ଦିଆଯାଇଥିବାବେଳେ ଏହାକୁ ଫେରାଇ ଦେବା ପାଇଁ ବସ ମାଲିକଙ୍କ ଉପରେ ଚାପ ପକାଯାଉଛି । ଏଭଳି ପଦକ୍ଷେପ ଫଳରେ ଚାଷୀ ଆନ୍ଦୋଳନକୁ ସରକାର ଭୟ କରୁଥିବା ଜଣାପଡୁଛି ବୋଲି କହିଛନ୍ତି ବିରୋଧୀ ଦଳ ।