କଳାହାଣ୍ଡିରେ ନକଲି ପ୍ରଶ୍ନପତ୍ର ଘଟଣାରେ କାର୍ଯ୍ୟାନୁଷ୍ଠାନ : ୮ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା କେସିଙ୍ଗା ପୋଲିସ

146

କନକ ବ୍ୟୁରୋ : କଳାହାଣ୍ଡିର ବହୁ ଚର୍ଚ୍ଚିତ ଦଶମ ଶ୍ରେଣୀ ପରୀକ୍ଷାର ଭୁଲ ପ୍ରଶ୍ନ, ଭୁଲ ଉତ୍ତର ବଣ୍ଟନ ଘଟଣାରେ କେସିଙ୍ଗା ପୁଲିସର କାର୍ଯ୍ୟାନୁଷ୍ଠାନ । ଶିକ୍ଷା ବିଭାଗର ଏତଲା ପରେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରୁପ୍ରାର ଆରକେ ଶକୁନ୍ତଳା ଉଚ୍ଚବିଦ୍ୟାଳୟର ପରିଚାଳକ ମଧ୍ୟ ଅଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ୪୨୦, ୩୪ ଆଇପିସି ଓ ଓଡିଶା ପରୀକ୍ଷା ଅଧିନିୟମ ୯ରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ପୁଲିସ ନକଲି ପ୍ରଶ୍ନପତ୍ର, ମୋବାଇଲ ଓ ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିଲା ବେଳେ କେନ୍ଦ୍ର ବାହାରେ ଗିରଫ ଅଭିଯୁକ୍ତମାନେ ଭୁଲ ପ୍ରଶ୍ନ, ଭୁଲ ଉତ୍ତର ବଣ୍ଟନ କରୁଥିଲେ । ଅଭିଭାବକଙ୍କୁ ମାଟ୍ରିକ ଏକଜାମର ପ୍ରଶ୍ନ ଓ ଉତ୍ତର କହି ଟଙ୍କା ଦେଲେ ଭୁଲ ପ୍ରଶ୍ନ ସହ ଭୁଲ ଉତର ଯୋଗାଇ ଦେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୧୪ ତାରିଖରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଅଭିଯୋଗରେ ୮ଜଣଙ୍କୁ ପୁଲିସ ଉଠାଇ ନେଇ ପଚରା ଉଚରା କରି ଛାଡି ଦେଇଥିଲା । କିନ୍ତୁ ମାର୍ଚ୍ଚ ୧୮ରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଏତଲା ଆଧାରରେ ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।