ସମ୍ବଲପୁରକୁ ଲମ୍ବିଛି ଜାଲ ସାର୍ଟିଫିକେଟ୍ ଚେର : ୬ ଚାକିରି ଆଶାୟୀଙ୍କ ନାଁରେ ଥାନାରେ ଏତଲା ଦେଲା ଡାକ ବିଭାଗ

215

କନକ ବ୍ୟୁରୋ : ସମ୍ବଲପୁର ଯାଏଁ ଲମ୍ବିଛି ଜାଲ୍ ସାର୍ଟିଫିକେଟ୍ ଚେର । ଡାକ ବିଭାଗରେ ଚାକିରି ପାଇଁ ଆଶାୟୀ ଦେଇଛନ୍ତି ନକଲି ଦସ୍ତାବିଜ୍ । ୬ ଜଣ ଆଶାୟୀଙ୍କ ସାର୍ଟିଫିକେଟ୍ ନକଲି ହୋଇଥିବା ସନ୍ଦେହ କରିଛି ଡାକ ବିଭାଗ । ଏନେଇ ସମ୍ବଲପୁର ଟାଉନ୍ ଥାନାରେ ଡାକ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି । ଡାକ ବିଭାଗ ପଦବୀ ପାଇଁ ଆବେଦନ କରିଥିବା ୬ ଜଣ ଆଶାୟୀଙ୍କ ସାର୍ଟିଫିକେଟ୍ ଉତରପ୍ରଦେଶ ବୋର୍ଡର । ଯେଉଁଥିରେ ଓଡ଼ିଆର କୌଣସି ବିଷୟ ନାହିଁ । ହେଲେ ଏମାନେ ଓଡ଼ିଆ ବିଷୟ ରଖି ବୋର୍ଡ ପରୀକ୍ଷାରେ ପାସ୍ କରିଥିବା ସାର୍ଟିଫିକେଟରେ ଲେଖଯାଇଛି ।

ଏହି ସବୁ ସାର୍ଟିଫିକେଟ୍ ଅନଲାଇନରେ ଉପଲବ୍ଧ ନାହିଁ । ଡିଜି ଲକରରେ ମଧ୍ୟ ଏହାର କୌଣସି ତଥ୍ୟ ନାହିଁ । ଏହାକୁ ନେଇ ସନ୍ଦେହ ବଢିଥିବା ଡାକ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ଯାଂଚ କରିବାକୁ ଥାନାରେ ଏତଲା ଦିଆଯାଇଛି । ଏହା ପରେ ଉତରପ୍ରଦେଶ ବୋର୍ଡକୁ ତଥ୍ୟ ମାଗିଛି ପୋଲିସ । ଆଜି ତଥ୍ୟ ଆସିବା ପରେ ଉଚ୍ଚଅଧିକାୀଙ୍କ ସହ ଆଲୋଚନା କରାଯିବ । ଅଭିଯୋଗ ହୋଇଥିବା ୬ ଜଣଙ୍କ ଘର ଭଦ୍ରକ, ଜଗତସିଂହପୁର, ବରଗଡ଼, ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ । ଏମାନେ ଗୋଟିଏ ସ୍ଥାନରୁ ସାର୍ଟିଫିକେଟ୍ ଆଣିଛନ୍ତି ନାଁ ଅଲଗା ଅଲଗା ସ୍ଥାନରୁ ଆଣିଛନ୍ତି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ସନ୍ଦେହ ବଢାଇଲା
ହିନ୍ଦୀ ବୋର୍ଡରେ ଓଡ଼ିଆ ବିଷୟ

– ସମ୍ବଲପୁର ଡାକ ଡିଭିଜନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା
– ୯୬ଟି ଗ୍ରାମୀଣ ଡାକ ସେବକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା
– ଏହି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଥିଲେ
– ଗତ ମାର୍ଚ୍ଚ ୧୧ ତାରିଖରେ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା
– ମାର୍ଚ୍ଚ ୨୦ ଓ ୨୧ରେ ସିଇପିଟି ହାଇଦ୍ରାବାଦ ପକ୍ଷରୁ ସାର୍ଟିଫିକେଟ୍ ଯାଞ୍ଚ ହୋଇଥିଲା
– ଯାଞ୍ଚ ବେଳେ ୬ ଜଣ ଗୋଟିଏ ବୋର୍ଡରୁ ସାର୍ଟିଫିକେଟ୍ ପାଇଥିବା ଜଣାପଡ଼ିଥିଲା
– ହିନ୍ଦୀ ବୋର୍ଡରେ ଓଡ଼ିଆ ପରୀକ୍ଷା ଦେଇଥିବା ଘଟଣା ସନ୍ଦେହ ବଢାଇଥିଲା
– ଘଟଣାର ଅଧିକ ଯାଂଚ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛି ଡାକ ବିଭାଗ