ଢିଙ୍କିଆରେ ପୁଣି ଆରମ୍ଭ ହେଲା ପାନବରଜ ଉଚ୍ଛେଦ : ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ଚାଲିଛି ଭଙ୍ଗା କାମ

ସହଯୋଗ କରୁଛନ୍ତି ଗ୍ରାମବାସୀ; ପାନବରଜ ଭାଙ୍ଗିବାକୁ ବିରୋଧ ପରେ ଦୁଇ ଦିନ ଧରି ବନ୍ଦ ଥିଲା ଉଚ୍ଛେଦ କାର୍ଯ୍ୟ

118

କନକ ବ୍ୟୁରୋ : ଢିଙ୍କିଆରେ ପୁଣି ଆରମ୍ଭ ହେଲା ପାନବରଜ ଭଙ୍ଗା କାମ । ଦୁଇ ଦିନର ନୀରବତା ପରେ ଆଜି ପୁଣି ପାନବରଜ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଆଜି ସକାଳୁ ପ୍ରଶାସନିକ ଅଧିକାରୀଙ୍କ ସହିତ ପୋଲିସ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମାହାଳ ଗାଁର ୧୦ରୁ ଅଧିକ ପାନବରଜ ଭଙ୍ଗାଯାଇଛି । ଅନେକ ପାନବରଜ ଭଙ୍ଗାଯିବା ପାଇଁ ମାପଚୁପ କରାଯାଇଛି । ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପାନବରଜ ଭଙ୍ଗା ଯାଉଥିବା ବେଳେ ତିନି ଦିନ ତଳେ ଢିଙ୍କିଆ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରେ ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ପାନ ବରଜ ଭଙ୍ଗା କାମ ବନ୍ଦ ରହିଥିଲା । ଆଜି ପ୍ରଶାସନ ତରଫରୁ ପାନବରଜ ଭଙ୍ଗା କାମ ଆରମ୍ଭ ହେବା ପରେ ମାହାଳ ଗାଁର ଅନେକ ଗ୍ରାମବାସୀ ପ୍ରଶାସନକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ପୋଲିସର ଲାଠି ଚାଳନା ସମୟରେ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ ପରେ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ସ୍ୱର ନରମି ଯାଇଥିବା ଦେଖିବାକୁ ମିଳିଛି । ଗତକାଲି ଜଗତସିଂହପୁର ଏସ୍ପି ଢିଙ୍କିଆରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ପାନବରଜ ଭାଙ୍ଗିଥିବା ପାନ ଚାଷୀଙ୍କୁ ୫ କୋଟିରୁ ଅଧିକ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି ।