୬ ମାସରେ ଦ୍ୱିତୀୟ ଥର ପାଇଁ ବିଜୁଳ ସଙ୍କଟ: ଆଗକୁ ଗ୍ରୀଷ୍ମ ପ୍ରବାହ ଥିବା ବେଳେ ୧୨ଟି ରାଜ୍ୟ ପାଇଁ ସତର୍କ ଘଂଟି

378

କନକ ବ୍ୟୁରୋ: ୬ ମାସ ମଧ୍ୟରେ ଦ୍ୱିତୀୟ ଥର କୋଇଲ ସଙ୍କଟର ସାମ୍ନା କରିବାକୁ ଯାଉଛି ଭାରତ । ବିଭିନ୍ନ ତାପଜ ବିଦ୍ୟୁତ କେନ୍ଦ୍ରରେ ଆବଶ୍ୟକ ମୁତାବିକ କୋଇଲା ମହଜୁଦ ନାହିଁ । ଆଗକୁ ଖରା ଆହୁରି ବଢିବ । ତେଣୁ ବିଜୁଳ ବ୍ୟବହାରର ଚାହିଦା ବଢିବ । ଏପରି ସ୍ଥିତିରେ ଯଦି ସ୍ଥିତିରେ ସୁଧାର ନଆସେ ତାହେଲେ ଆଗାମୀ ଦିନରେ ଅନେକ ରାଜ୍ୟରେ ବିଜୁଳି ସମସ୍ୟା ଦେଖାଦେଇପାରେ ।

୬ ମାସରେ ଦ୍ୱିତୀୟ ଥର ପାଇଁ ଦେଶରେ କୋଇଲା ସଙ୍କଟ ଦେଖାଦେଇଛି । ୧୨ଟି ରାଜ୍ୟରେ ଥିବା ଥର୍ମାଲ ପାୱାର ପ୍ଲାଂଟ ବା ତାପଜ ବିଦ୍ୟୁତ କେନ୍ଦ୍ରରେ ଆବଶ୍ୟକ ମୁତାବିକ କୋଇଲା ମହଜୁଦ ନାହିଁ । ଆଗକୁ ଗ୍ରୀଷ୍ମ ପ୍ରବାହ ରହିଛି । ତେଣୁ ବିଜୁଳିର ଚାହିଦା ବଢିବ । ଏପରି ସ୍ଥିତିରେ ମହଜୁଦ ଥିବା କୋଇଲା ନିଅଂଟିଆ ପଡିଯିବ । ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୧୫୦ ଥର୍ମାଲ ପାୱାର ପ୍ଲାଂଟରୁ ୮୧ଟି ପ୍ଲାଂଟରେ ନିଅଣ୍ଟଆ ଅବସ୍ଥା ରହିଛି । ସେହିପରି ୫୪ଟି ଘରୋଇ ଥର୍ମାଲ ଥର୍ମାଲ ପାୱାର ପ୍ଲାଂଟ ମଧ୍ୟରୁ ୨୮ଟିରେ ଆବଶ୍ୟକ ତୁଳନାରେ ବହୁତ କମ୍ କୋଇଲା ରହିଛି ।

ତାପଜ ବିଦ୍ୟୁତ କେନ୍ଦ୍ରରେ ସର୍ବନିମ୍ନ ୯ ଦିନ ପାଇଁ କୋଇଲା ମହଜୁଦ ରୁହେ । ଏବେ କିନ୍ତୁ କୋଇଲା କମ୍ ମହଜୁଦ ରହିଛି । ଏବେ ଯେତିକି କୋଇଲା ମହଜୁଦ ରହିଛି ତାହା ୨୦୧୪ ଆର୍ଥିକ ବର୍ଷ ଆରମ୍ଭଠୁ କମ୍ । କିନ୍ତୁ ନିୟମ ଅନୁଯାୟୀ ସର୍ବାଧିକ ୨୪ ଦିନର କୋଇଲା ମହଜୁଦ ରହିବା ଦରକାର ।

ନଜର ପକାନ୍ତୁ ଗତ ବର୍ଷ କେଉଁ ମାସରେ କେତେ ଥିଲା ବିଜୁଳି ଚାହିଦା ।
ବିଜୁଳି ଚାହିଦା
ବର୍ଷ ମାସ ଚାହିଦା
୨୦୨୧ ଏପ୍ରିଲ ୧୮୨.୩୭ ଗିଗାୱାଟ
୨୦୨୧ ଜୁଲାଇ ୨୦୦ ଗିଗାୱାଟ
୨୦୨୦ ଏପ୍ରିଲ ୧୩୨.୭୩ ଗିଗାୱାଟ
୨୦୧୯ ଏପ୍ରିଲ ୧୭୬.୮୧ ଗିଗାୱାଟ

୨୦୨୦-୨୧ ବେଳେ କରୋନା ପାଇଁ ଲକଡାଉନ ଏବଂ ଅନେକ କଳକାରଖାନା ବନ୍ଦ ଥିଲା । ଏବେ କିନ୍ତୁ ସବୁକିଛି ଖୋଲିଯାଇଛି । ତେଣୁ ଜୁଲାଇ ବେଳକୁ ବିଜୁଳିର ଚାହିଦା ଅଧିକ ହୋଇପାରେ ।

ଭାରତରେ ଆବଶ୍ୟକ ଥିବା କୋଇଲା ତୁଳନାରେ କମ୍ କୋଇଲା ମହଜୁଦ ରହିଛି । ରୁଷ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ କୋଇଲା ସଙ୍କଟ ପଛର ଅନ୍ୟତମ କାରଣ ବୋଲି ମଧ୍ୟ କୁହାଯାଉଛି । କାରଣ ଏବେ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅନ୍ତର୍ଜାତୀୟ କୋଇଲାର ଦାମ ବଢିଛି ଏବଂ କମ୍ ଆମଦାନୀ ହେଉଛି ବୋଲି ବିଶେଷଜ୍ଞ କହୁଛନ୍ତି । କୋଲ ଇଣ୍ଡିଆକୁ ଛାଡି ଦେଲେ ଆଉ କେହି କୋଲ ମାଇନିଂ କରୁନାହାନ୍ତି ତେଣୁ ଚାହିଦା ତୁଳନାରେ ଯୋଗାଣ କମ୍ ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି ।