ବିଧ୍ୱଂସକାରୀ ମିସାଇଲ ସରମତ । ବିଶ୍ୱର ଯେକୌଣସି ଦେଶରେ ଟାର୍ଗେଟକୁ କରିପାରିବ ଧ୍ୱଂସ, ଘାତକ ମିସାଇଲର ସଫଳ ପରୀକ୍ଷଣ କଲା ଋଷ ।

480

କନକ ବ୍ୟୁରୋ :  ବିଶ୍ୱର ଯେକୌଣସି ଦେଶରେ ଥିବା ଟାର୍ଗେଟକୁ ନିମିଷକେ କରିହେବ ନାଶ । ଗୋଟିଏ ମିସାଇଲ ପୂରା ବିଶ୍ୱରେ ରଚିବ ସଂହାରଲୀଳା । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏଭଳି ଏକ ମିସାଇଲର ସଫଳ ପରୀକ୍ଷଣ କରି ପୂରା ବିଶ୍ୱକୁ ଚମକାଇ ଦେଇଛି ଋଷ । ଆଉ ଏଭଳି ଏକ ଘାତକ ମିସାଇଲ ପରୀକ୍ଷଣ ସହ ଶତ୍ରୁଙ୍କୁ ପରୋକ୍ଷରେ କଡା ଚେତାବନୀ ଦେଇଛନ୍ତି ପୁଟିନ ।

ବୁଧବାର ଅନ୍ତଃମହାଦେଶୀୟ ମିସାଇଲ ସରମତର ପରୀକ୍ଷଣ କରିଛି ଋଷ । ଆଉ ଏହାର ପରୀକ୍ଷଣ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଏବେ ଋଷ ଉପରେ ଆକ୍ରମଣ ପୂର୍ବରୁ ବାରମ୍ବାର ଚିନ୍ତା କରିବେ ଶତ୍ରୁ ଦେଶ । ତେବେ ଏହି ମିସାଇଲକୁ କାହିଁକି ଏତେ ଘାତକ କୁହାଯାଉଛି । ସେ ବାବଦରେ ଜାଣିବାର ଆବଶ୍ୟକତା ରହିଛି ।

ବିଧ୍ୱଂସକାରୀ ମିସାଇଲ ସରମତ ପରମାଣୁ ଅସ୍ତ୍ର ବହନ କରିପାରିବ  । ଏଥିରେ ୧୦ରୁ ଅଧିକ ୱେୟାରହେଡ ରହିଛି । ଅଥାର୍ତ ଏକକାଳୀନ ୧୦ରୁ ଅଧିକ ଟାର୍ଗେଟକୁ ଧ୍ୱଂସ କରିବାରେ ଏହି ମିସାଇଲ ସକ୍ଷମ । ଋଷିଆରୁ ବସି ବିଶ୍ୱର ୧୦ରୁ ଅଧିକ ସ୍ଥାନକୁ ଟାର୍ଗେଟ କରାଯାଇପାରିବ । ୨୦୦ ଟନରୁ ଅଧିକ ଓଜନ ବିଶିଷ୍ଟ ଏହି ମିସାଇଲକୁ ଦୀର୍ଘ ବର୍ଷ ହେବ ନିର୍ମାଣ କରୁଛି ଋଷ । ଏହାର ଲମ୍ବ ୩୫.୩ ମିଟର ରହିଥିବା ବେଳେ ଏହାର ବ୍ୟାସ ୩ ମିଟର ରହିଛି । ଏହାର ଟାର୍ଗେଟ ରେଞ୍ଜ ୧୮ ହଜାର କିଲୋମିଟର ରହିଛି । ଅଥାର୍ତ ବିଶ୍ୱର ଯେକୌଣସି ସ୍ଥାନକୁ ବେଶ ସହଜରେ ଟାର୍ଗେଟ କରାଯାଇପାରିବ । ସବୁଠୁ ବଡ କଥା ହେଲା ଏହାର ବେଗ । ଏହା ୨୦.୭ ମ୍ୟାକ ସ୍ପିଡରେ ଗତି କରିବା ଶତ୍ରୁକୁ ସଂହାର କରିଥାଏ ।  ଅଥାର୍ତ ଘଣ୍ଟାକୁ ୨୫,୫୬୦ କିଲୋମିଟର ଓ ସେକେଣ୍ଡକୁ ୭.୧ କିଲୋମିଟର ବେଗରେ ଶତ୍ରୁ ଦେଶରେ ତାଣ୍ଡବ ରଚିପାରିବ ।

ଏଭଳି ମିସାଇଲ ପରୀକ୍ଷଣ ଋଷ ପାଇଁ ନୂଆ ନୁହେଁ । ଏହାଛଡା ଏଭଳି ପରୀକ୍ଷଣକୁ ନେଇ ଆମେରିକା ମଧ୍ୟ ସେଭଳି ଚିନ୍ତା ପ୍ରକଟ କରିନାହିଁ । କାରଣ ଏହି ଘାତକ ମିସାଇଲ ପରୀକ୍ଷଣ ପୂର୍ବରୁ ଆମେରିକାକୁ ସୂଚନା ଦେଇଥିଲା ଋଷ ।  ମିସାଇଲର ସଫଳ ପରୀକ୍ଷଣ ପରେ ଖୁବଶୀଘ୍ର ସରମତକୁ ଋଷ ନିଜ ସେନାରେ ସାମିଲ କରିବ । ଆଉ ଥରେ ଏହା ସେନାରେ ସାମିଲ ହେବା ମାତ୍ରେ ଋଷ ଆଡକୁ ଆଖି ଉଠାଇ ଦେଖିବା ପାଇଁ ବି ଭୟ କରିବେ ଶତ୍ରୁ ଦେଶ ।