‘ଇଲେକଟ୍ରିକ୍ କାର’ର ସତ କଣ ? ପରିବେଶ ପାଇଁ ଏହା ଅନୁକୂଳ ନା ନାହିଁ ପଢନ୍ତୁ …

182

କନକ ବ୍ୟୁରୋ: ଚାରିଆଡେ ବର୍ତ୍ତମାନ ଇଲେକଟ୍ରିକ କାରକୁ ନେଇ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ମଧ୍ୟ ଏହାକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଏହାର ସତ କଣ ଆପଣ ଜାଣିଛନ୍ତି କି? ତେବେ ସୂଚନା ଅନୁସାରେ ଇଲେକଟ୍ରିକ କାରକୁ ଆମେ ଯେତେ ପରିବେଶ ପାଇଁ ଭଲ ଭାବୁଛେ ତାହା ସେତ ଭଲ ନୁହେଁ । ସୋସାଇଟି ଅଫ୍ ରେୟର ଆର୍ଥର ତଥ୍ୟ ଅନୁସାରେ, ଗୋଟିଏ ଇଲେକଟ୍ରିକ କାର ତିଆରି ପାଇଁ ୫୭ କିଲୋ କଞ୍ଚାମାଲ ଦରକାର ହୋଇଥାଏ । ଏଥିରେ ୮ କିଲୋ ଲିଥିୟମ, ୩୫ କିଲୋ ନିକେଲ, ୧୪ କିଲୋ କୋବାଲ୍ଟ ବ୍ୟବହାର ହୋଇଥାଏ । ସେହିଭଳି ମାଟିତଳୁ ୪, ୨୭୫ ଏସିଡ ଆବର୍ଜନା ବାହାର କରିବା ପାଇଁ ୫୭ କିଲୋ ରେଡିଓଆକ୍ଟିଭ ଅବଶେଷ ଦରକାର ହୋଇଥାଏ । ଇଭି ତିଆରି ପାଇଁ ୯ ଟନ କାର୍ବନ ବାହାରିଥାଏ ।

କେବଳ ଏତିକି ନୁହେଁ ଇଲେକଟ୍ରିକ କାର ତିଆରି ବେଳେ ୧୩ ହଜାର ୫୦୦ ଲିଟର ପାଣିର ବ୍ୟବହାର ହୋଇଥାଏ । ଅନ୍ୟପଟେ ପେଟ୍ରୋଲ କାର ତିଆରିରେ ମାତ୍ର ୪ ହଜାର ଲିଟର ପାଣି ଆବଶ୍ୟକ ହୋଇଥାଏ । ରିକାର୍ଡୋ କନସଲଟେନ୍ସି ଅନୁସାରେ, ଯଦି ଇଭିକୁ କୋଇଲାରୁ ଉତ୍ପାଦିତ ହେଉଥିବା ବିଜୁଳୀରେ ଚାର୍ଜ କରାଯାଏ ତେବେ ଦେଢଲକ୍ଷ କିଲୋମିଟର ଚାଲିବା ପରେ ଏଥିରୁ ପେଟ୍ରୋଲ ତୁଳନାରେ ୨୦ ପ୍ରତିଶତ କମ ଅଙ୍ଗାରକାମ୍ଳ ବାହାରିଥାଏ । ଭାରତରେ ୭୦ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହୋଇଥାଏ । ସେହିଭଳି ଅଷ୍ଟ୍ରେଲିଆରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି, ୩୩ଶହ ଟନ ଲିଥିୟମ ଆବର୍ଜନାରୁ ମାତ୍ର ୨ ପ୍ରତିଶତ ରିସାଇକେଲ ବା ପୁଃନଚକ୍ରଣ ହୋଇଥାଏ । ବାକି ୯୮ ପ୍ରତିଶତରେ ପ୍ରଦୂଷଣ ବ୍ୟାପିଥାଏ ।

ଏରିଜୋନା ବିଶ୍ୱବିଦ୍ୟାଳୟର ଇକୋଲୋଜି ବିଭାଗର ପ୍ରଫେସର ଗାଇ ମ୍ୟାକଫ୍ରକ୍ସନ କହିଛନ୍ତି, ଲିଥିୟମ ଦୁନିଆର ସବୁଠାରୁ ହାଲକା ପଦାର୍ଥ । ଏହା ବହୁତ ସହଜରେ ଇଲେକଟ୍ରୋନ ଛାଡିଥାଏ । ଏହି କାରଣରୁ ଇଭିର ବ୍ୟାଟେରୀରେ ଏହାର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ । ସବୁଜ ତୈଳ ଭାବେ ଲିଥିୟମକୁ ମହିମାମଣ୍ଡନ କରାଯାଉଛି । କିନ୍ତୁ ମାଟିରୁ ବାହାରିବା ଯୋଗୁ ପରିବେଶ ୩ ଗୁଣ ଅଧିକ ବିଶାକ୍ତ ହୋଇଥାଏ । ଲିଥିୟମର ୯୮.୩ ପ୍ରତିଶତ ବ୍ୟାଟେରୀ ବ୍ୟବହାର ପରେ ମାଟିତଳେ ପୋତିଦିଆଯାଇଥାଏ । ପାଣିର ସମ୍ପର୍କରେ ଆସିବା ପରେ ଏଥିରେ ପ୍ରତିକ୍ରିୟା ଦେଖାଯାଇଥାଏ ଯେଉଁଥିରେ କି ନିଆଁ ମଧ୍ୟ ଲାଗିଯାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଆମେରିକାର ଫ୍ୟାସିଫିକ ନର୍ଥୱେଷ୍ଟର ଗୋଟିଏ ଗାତରେ ୨୦୧୭ ଜୁନରୁ ୨୦୨୦ ଡିସେମ୍ବର ମଧ୍ୟରେ ବ୍ୟାଟେରୀରେ ନିଆଁ ଲାଗିବାର ୧୨୪ଟି ଘଟଣା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ଜର୍ମାନୀରେ ଆଇଏଫଓ ଥିଙ୍କ ଟ୍ୟାଙ୍କ ଦ୍ୱାରା ରିସର୍ଚ୍ଚ ଅନୁସାରେ ମର୍ସିଡିଜର ସି ୨୨୦ ଟି ସେଡାନ ପ୍ରତି କିଲୋମିଟର ପିଛା ୧୪୧ ଗ୍ରାମର ଅଙ୍ଗାରକାମ୍ଳ ଛାଡିଥାଏ । ସେହିଭଳି ଟେସଲା ମଡେଲ ୩ ୧୮୧ ଗ୍ରାମର ଅଙ୍ଗାରକାମ୍ଳ ଛାଡିଥାଏ ।

ବିଶ୍ୱରେ ପ୍ରାୟ ୨ ଶହ କୋଟି ବାହନ ଅଛନ୍ତି । ଏଥିରୁ ମାତ୍ର ୧ କୋଟି ଇଲେକଟ୍ରିକ ବାହନ । ଯଦି ସମସ୍ତ ଗାଡିକୁ ଇଭିରେ ପରିବର୍ତ୍ତନ କରାଯାଏ ତେବେ ତାକୁ ତିଆରି ପାଇଁ ଯେଉଁ ଏସିଡ ଆବର୍ଜନା ବାହାରିବ ସେଥିପାଇଁ ପର୍ଯ୍ୟାପ୍ତ ସାଧନ ନାହିଁ । ତେଣୁ ପବ୍ଲିକ ଟ୍ରାନସପୋର୍ଟ ବଢାଇ ବ୍ୟକ୍ତିଗତ ଗାଡି ସଂଖ୍ୟା କମାଇଲେ ସବୁଜ ଗ୍ୟାସକୁ କମ କରାଯାଇପାରିବ । ପେଟ୍ରୋଲ କାର କିଲୋମିଟର ପ୍ରତି ୧୨୫ ଗ୍ରାମ ଏବଂ କୋଇଲାରୁ ବାହାରୁ ଥିବା ବିଦ୍ୟୁତରେ ଚାର୍ଜ ହେଉଥିବା ଇଲେକଟ୍ରିକ କାର ପ୍ରତି କିମି ୯୧ ଗ୍ରାମ ଅଙ୍ଗାରକାମ୍ଳ ସୃଷ୍ଟି କରିଥାଏ । ୟୁରୋପରେ ଇଭି ୬୯ ପ୍ରତିଶତ କମ ଅଙ୍ଗାରକାମ୍ଳ ବାହାରିଥାଏ କାରଣ ଏଠାରେ ୬୦ ପ୍ରତିଶତ ବିଜୁଳୀ ଅକ୍ଷୟ ଉର୍ଜାରୁ ସୃଷ୍ଟି ହୋଇଥାଏ ।

କେନ୍ଦ୍ର ସରକାର ଲକ୍ଷ ରଖିଛନ୍ତି ୨୦୩୦ ଯାଏ ୭୦ ପ୍ରତିଶତ କମର୍ସିଆଲ କାର, ୩୦ ପ୍ରତିଶତ ବ୍ୟକ୍ତିଗତ କାର, ୪୦ ପ୍ରତିଶତ ଦୁଇଚକିଆ ଯାନ ଏବଂ ୮୦ ପ୍ରତିଶତ ତିନିଚକିଆ ଯାନକୁ ଇଲେକଟ୍ରିକ କରିବା ପାଇଁ ଚାହୁଁଛନ୍ତି । ସେହିଭଳି ୨୦୨୩ ଯାଏ ୪୪.୭ ପ୍ରତିଶତ ବିଜୁଳୀ ଅକ୍ଷୟ ଉର୍ଜାରୁ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।