ଜାତୀୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ଭୋଟିଂ ପ୍ରସଙ୍ଗ ! ବାଲାଟ ପେପରରେ ଭୋଟିଂ ଦାବି କଲା କଂଗ୍ରେସ, ମିଳିଲାନି ଅନ୍ୟ ରାଜନୈତିକ ଦଳର ସମର୍ଥନ ।

34

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ଭିଭିପାଟ ମେସିନ ଅପେକ୍ଷା ବାଲଟ ମାଧ୍ୟମରେ ନିର୍ବାଚନ କରାଯାଉ । ଆଜି ନିର୍ବାଚନ କମିଶନ ଡକାଇଥିବା ସର୍ବଦଳୀୟ ବୈଠକରେ ଏହି ଦାବି ରଖିଛି କଂଗ୍ରେସ । ତେବେ ଅନ୍ୟ ରାଜନୈତିକ ଦଳ ଏଥିରେ ସହମତି ପ୍ରକାଶ ନକରିବାରୁ ବୈଠକରେ ଏକୁଟିଆ ପଡିଯାଇଥିଲା କଂଗ୍ରେସ । ଆଜି ନିର୍ବାଚନ କମିଶନ ଡକାଇଥିବା ସର୍ବଦଳୀୟ ବୈଠକରେ ନିର୍ବାଚନ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ମୋଟ ୫୮ଟି ରାଜନୈତିକ ଦଳ ସାମିଲ ହୋଇଥିଲେ । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକ ସହ ବିଚାର ବିମର୍ଷ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।

ଦେଶରେ ଗୋଟିଏ ସମୟରେ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିଲେ । ବୈଠକରେ ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ, ଲୋକସଭା ନିର୍ବାଚନ ସମେତ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବୈଠକରେ ଅନେକ ରାଜନୈତିକ ଦଳ ଇଭିଏମ୍ ପ୍ରସଙ୍ଗ ଉଠାଇଥିଲେ । ନିର୍ବାଚନରେ ୩୦ ପ୍ରତିଶତ ଭିଭିପାଟ ମେସିନ ବ୍ୟବହାର କରିବା ପାଇଁ ଦାବି କରିଛି କଂଗ୍ରେସ । ସେହିପରି ଆପ ଦାବି କରିଛି ୨୦ ପ୍ରତିଶତ ଭିଭିପାଟ ମେସିନ ।

ଭୋଟିଂ ସରିବା ପରେ ସ୍କ୍ରିନରେ ଭିଜିଭିଲିଟି ବଢାଇବା ପାଇଁ ଆଉ ଏକ ଦାବି ରଖିଛି କଂଗ୍ରେସ । ତେବେ ବାଲଟ ପେପରରେ ନିର୍ବାଚନ ହେବା ପାଇଁ କଂଗ୍ରେସ କହିଥିବା ବେଳେ ଅନ୍ୟ ଦଳମାନେ କହିଥିଲେ ନିର୍ବାଚନ କମିଶନଙ୍କ ପାଖରେ ଆଉ ମାତ୍ର ୬ମାସ ରହିଛି । ଏତେ କମ ସମୟ ମଧ୍ୟରେ ବାଲଟରେ ନିର୍ବାଚନ ଅସମ୍ଭବ ବୋଲି ଅନ୍ୟ ରାଜନୈତିକ ଦଳ ମାନେ ମତ ରଖିଥିଲେ । ବାଲଟ ପେପର ପ୍ରସଙ୍ଗରେ କଂଗ୍ରେସ ଏକ ପ୍ରକାର ଏକୁଟିଆ ପଡିଯାଇଥିଲା । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବୈଠକରେ ମୁଖ୍ୟ ନିର୍ବାଚନ କମିଶନ ଓମ୍ ପ୍ରକାଶ ରାୱତଙ୍କ ସମେତ ଅନ୍ୟ ଦୁଇଜଣ ନିର୍ବାଚନ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।