ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଶକ୍ତିଶାଳୀ ବୋମା ! ଆତଙ୍କିତ ଅବସ୍ଥାରେ ସ୍ଥାନୀୟବାସୀ, ୧୮ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଗଲା ସ୍ଥାନାନ୍ତର ।

30

ଜର୍ମାନୀର ଲୁଡୱିଗଶ୍ରାଫେନ୍ ସହରରେ ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀଦଳ ରବିବାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଶକ୍ତିଶାଳୀ ବୋମା ଉଦ୍ଧାର କରିଛନ୍ତି । ଏହି ବୋମା ମିଳିବା ଖବର ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଶକ୍ତିଶାଳୀ ବୋମା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ସହରର ପ୍ରାୟ ୧୮,୫୦୦ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ୫୦୦ କେଜି ଓଜନ ବିଶିଷ୍ଟ ବୋମାଟିକୁ ଆମେରିକା ହିଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆକାଶ ମାର୍ଗରୁ ନିକ୍ଷେପ କରିଥିଲା ବୋଲି କୁହାଯାଉଛି।

ଲୁଡୱିଗଶ୍ରାଫେନ୍ ସହରରେ ଗୋଟିଏ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ଏହି ବୋମାଟି ଠାବ ହୋଇଥିଲା। ବୋମାଟି ମିଳିବା ପରେ ପ୍ରଶାସନ ପକ୍ଷରୁ ୧ ହଜାର ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଲୋକଙ୍କୁ ସକାଳ ୮ଟା ସୁଦ୍ଧା ଘର ଛାଡ଼ି ଚାଲିଯିବାକୁ କୁହାଯାଇଥିଲା। ବୋମାକୁ ନିଷ୍କ୍ରିୟ କରିବା ପରେ ଅଧିକାରୀ ଲୋକମାନଙ୍କୁ କହିଥିଲେ, ବୋମାକୁ ସଫଳତାର ସହ ନିଷ୍କ୍ରିୟ କରାଯାଇଥିଲା। ଏବେ ଲୋକମାନେ ନିଜ ନିଜ ଘରକୁ ଫେରିବାରେ କୌଣସି ଅସୁବିଧା ନାହିଁ। ଅଧିକାରୀଙ୍କ ଟୁଇଟର ଆକାଉଣ୍ଟରେ ଏହି ବୋମା ଫଟୋ ପୋଷ୍ଟ କରାଯାଇଛି। ସେହିପରି ଚଳିତବର୍ଷ ଏପ୍ରିଲରେ ଫ୍ରାନ୍ସର ନାରମେଣ୍ଡିରେ ୨୨୦କିଗ୍ରାର ଏକ ବୋମା ଉଦ୍ଧାର କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ୭୦ବର୍ଷ ପରେ ଜର୍ମାନୀରେ ଏହି ଶକ୍ତିଶାଳୀ ବୋମା ମିଳିଥିଲା।