ଆଜି ଶପଥ ନେବେ ଦ୍ରୌପଦୀ ମୁର୍ମୁ : ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଶପଥ ସମାରୋହରେ ଉପସ୍ଥିତ ରହିବେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

132

କନକ ବ୍ୟୁରୋ : ସରିଲା ପ୍ରତୀକ୍ଷା । ଆଉ କିଛି ସମୟ ପରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ରାଷ୍ଟ୍ରପତି ହେବେ । ସେ ଦ୍ୱିତୀୟ ମହିଳା ଭାବେ ରାଷ୍ଟ୍ରପତି ହେବେ । ରାଷ୍ଟ୍ରପତି ଭବନରେ ଶପଥ ଉତ୍ସବ ପାଇଁ ଭବ୍ୟ ଆୟୋଜନ କରାଯାଇଛି ।

ଆଜି ଦିନ ୧୦ଟା ୧୪ରେ ପ୍ରଧାନ ବିଚାରପତି ଏନଭି ରମଣା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହା ପରେ ଦ୍ରୌପଦୀ ମୁର୍ମୁଙ୍କୁ ୨୧ ତୋପର ସଲାମୀ ଦିଆଯିବ । ରାଷ୍ଟ୍ରପତି ଭବନ ଯିବା ପରେ ସେଠାରେ ଇଂଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହା ପରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ହେବ । ଦ୍ରୌପଦୀ ମୁର୍ମୁଙ୍କ ଝିଅ, ପରିବାରର ଅନ୍ୟ ସଦସ୍ୟଙ୍କ ସହ ସହପାଠୀ ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ୫୦ରୁ ଅଧିକ ଲୋକଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇ ଆମନ୍ତ୍ରଣ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ୬ ବିଜେପି ବିଧାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।

ଦ୍ରୌପଦୀଙ୍କ ଶପଥ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାର୍ଲାମେଂଟର ସେଂଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ଉପସ୍ଥିତ ରହିବେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ସାଂସଦ, ଭାରତ ସରକାରଙ୍କ ପ୍ରମୁଖ ସାମରିକ ଓ ବେସାମରିକ ଅଧିକାରୀ ।

ଶପଥ ସମାରୋହ ସୂଚୀ

ଜୁଲାଇ ୨୫ (ସୋମବାର)
ସକାଳ ୯ଟା ୨୨ : ନର୍ଥ କୋର୍ଟରେ ପହଁଚିବେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ତାଙ୍କୁ ଏଡିସି ପାଛୋଟି ନେବେ । ‘କାବେରୀ’କୁ ନିଆଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସ୍ୱାଗତ କରିବେ ।
ସକାଳ ୯ଟା ୪୨ : ରାଷ୍ଟ୍ରପତି କୋବିନ୍ଦ ଓ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘କାବେରୀ’ ଛାଡ଼ି ଦରବାର ହଲ୍କୁ ଯିବେ । ସେଠାରେ ଶୋଭାଯାତ୍ରା ବାହାରି ସାଲ୍ୟୁଟିଂ ମଂଚରେ ପହଁଚିବେ ।
ସକାଳ ୯ଟା ୪୯ : ରାଷ୍ଟ୍ରପତି ଜାତୀୟ ଅଭିବାଦନ ଗ୍ରହଣ କରିବେ
ସକାଳ ୯ଟା ୫୦ : ସଂସଦର ସେଂଟ୍ରାଲ ହଲ୍ ଅଭିମୁଖେ ଯିବେ ଦ୍ରୌପଦୀ ମୁର୍ମୁ
ସକାଳ ୧୦ଟା ୧୩ : ରାଷ୍ଟ୍ରପତି ଓ ନବ-ନିର୍ବାଚିତ ରାଷ୍ଟ୍ରପତି ଆନୁଷ୍ଠାନିକ ମୋଟରକେଡ୍ରେ ସଂସଦ ଭବନରେ ପହଁଚିବେ
ସକାଳ ୧୦ଟା ୦୫ : ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା ସଂସଦର ସେଂଟ୍ରାଲ୍ ହଲ୍ରେ ପହଁଚିବ
ସକାଳ ୧୦ଟା ୧୧ : ଗୃହ ସଚିବ ରାଷ୍ଟ୍ରପତିଙ୍କ ଅନୁମତି ନେଇ ନିର୍ବାଚନ ଆୟୋଗଙ୍କ ବିବରଣୀ ପଢ଼ିବେ ଏବଂ ନବ-ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରିବେ
ସକାଳ ୧୦ଟା ୧୪ : ଦ୍ରୌପଦୀ ମୁର୍ମୁଙ୍କୁ ଶପଥପାଠ କରାଇବେ ଭାରତର ପ୍ରଧାନ ବିଚାରପତି । କୋବିନ୍ଦଙ୍କ ସହ ଆସନ ବଦଳାଇବେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସକାଳ ୧୦ଟା ୧୮: ନୂଆ ରାଷ୍ଟ୍ରପତି ଶପଥପାଠ ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ତାଙ୍କ ନିକଟରେ ପହଁଚିବେ ରାଷ୍ଟ୍ରପତିଙ୍କ ସଚିବ
ସକାଳ ୧୦ଟା ୨୩ : ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବେ
ସକାଳ ୧୦ଟା ୩୫ : ସମାରୋହ ଉତ୍ସବର ସମାପନ ପାଇଁ ଅନୁମତି ଦେବେ ରାଷ୍ଟ୍ରପତି