ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେବେ ପାର୍ଥ ଚାଟାର୍ଜୀ : ଗିରଫ ପରେ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

110

କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ପାର୍ଥ ଚାଟାର୍ଜୀ ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ସ୍ଥାନାନ୍ତର ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ନେବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଏମ୍ସର ବିଶେଷଜ୍ଞ ଡାକ୍ତର ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରିବେ । କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ସ୍ୱାସ୍ଥ୍ୟଜନିତ ସମସ୍ୟା କାରଣରୁ ତାଙ୍କ ଓକିଲ ନିମ୍ନ ଅଦାଲତଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ପାର୍ଥ କୋଲକାତାର ଏସଏସକେଏମ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ତେବେ ଏଠାରୁ ଭୁବନେଶ୍ୱର ଏମ୍ସ ଯିବାକୁ ଚାହିଁବାରୁ ଏହାକୁ ବିରୋଧ କରିଥିଲା ଇଡି । ଫଳରେ ଏହି ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ପାର୍ଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ, ଭୁବନେଶ୍ୱର ଏମ୍ସ ଅଧିକାରୀଙ୍କୁ କାର୍ଡିଓଲୋଜି, ନେଫ୍ରୋଲୋଜି, ଶ୍ୱାସକ୍ରିୟ ଚିକିତ୍ସା ଓ ଏଣ୍ଡୋକ୍ରିନୋଲୋଜିରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସାର ଯାଂଚ କରିବାକୁ ଆଦେଶ ଦେଇଛନ୍ତି । ପାର୍ଥଙ୍କ ସହିତ ତାଙ୍କ ଓକିଲ ଓ ଏସଏସକେଏମ୍ ହସ୍ପିଟାଲର ଜଣେ ଡାକ୍ତର ମଧ୍ୟ ଆସିବେ ।

ଏହା ସହିତ ଉକ୍ତ ମେଡିକାଲ ରିପୋର୍ଟ ମାମଲାର ତଦନ୍ତକାରୀ ଅଧିକାରୀ, ଏସଏସକେଏମ୍ ମେଡିକାଲ ଅଫିସର, ଅଭିଯୁକ୍ତଙ୍କ ଓକିଲଙ୍କୁ ସୋମବାର ଅପରାହ୍ଣ ୩ଟା ସୁଦ୍ଧା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଶିକ୍ଷକ ଦୁର୍ନୀତି ମାମଲାରେ ଫସିଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ଇଡିରେ ହାଜର ହେବା ପରେ ଅର୍ପିତାଙ୍କୁ କୋର୍ଟରୁ ସିଜିଓ କମ୍ପେ୍ଲକ୍ସ ନିଆଯାଉଥିଲା । ଏହି ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣା ସାମାନ୍ୟ ଥିବାରୁ ଅର୍ପିତା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଯାହା ପରେ ତାଙ୍କୁ ସୁରକ୍ଷିତ ଭାବେ ସିଜିଓ କମ୍ପେ୍ଲକ୍ସ ନିଆଯାଇଥିଲା । ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଫସିଥିବା ପାର୍ଥଙ୍କ ସହଯୋଗୀ ଅର୍ପିତାଙ୍କୁ ଦିନକ ପାଇଁ ରିମାଣ୍ଡରେ ପଠାଯାଇଛି ।