ଛତୁ ଚାଷ କରି ସ୍ୱାଭଲମ୍ବୀ ମହିଳା। ଚାଷବାସ କରି କରୁଛନ୍ତି ପରିବାର ପ୍ରତିପୋଷଣ।

103

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ବ୍ଲକ ବମ୍ଫୁ ଗାଁର ମୁକ୍ତାରାଣୀ ନାୟକ । ଅର୍ଥ ଅଭାବରୁ ଯୁକ୍ତ ଦୁଇ ପଢା ଶେଷ କରିବା ଆଉ ପରେ ଆଉ ଆଗକୁ ପଢି ପାରିନଥିଲେ । ଏହା ପରେ ମୁକ୍ତାରାଣୀ କେନ୍ଦୁଝରରେ ବିବାହ କରିଥିଲେ ମଧ୍ୟ ବାପାଙ୍କର ଏକମାତ୍ର ଝିଅ ହୋଇଥିବାରୁ ନିଜ ବାପଘରେ ରହିଆସୁଛନ୍ତି । ତାଙ୍କ ସ୍ୱାମୀ ଚାଷବାସ କରି ପରିବାର ଚଳାଉଥିବା ବେଳେ ନିଜେ କିଛି ରୋଜଗାର ଆଶାରେ ଛତୁଚାଷ ଆରମ୍ଭ କରିଥିଲେ । ପରିବାରର ଆର୍ଥିକ ସ୍ଥିତିକୁ ସଦୃଢ କରିବା ପାଇଁ ଚିନ୍ତା କରି ମାତ୍ର ଦଶ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଛତୁଚାଷ ଏବେ ମାସକୁ ଭଲ ରୋଜଗାର ଦେଉଛି । ପ୍ରଥମେ ଦିନକୁ କେଜିଏରୁ ଦୁଇ କେଜି ଛତୁ ଉତ୍ପାଦନ ହେଉଥିବା ବେଳେ ଏବେ ସେ ଦିନକୁ ଦଶରୁ ପନ୍ଦର କିଲୋ ଛତୁ ଅମଳ ହେଉଛି ।

ମୁକ୍ତାରାଣୀ ଓ.ଏଲ.ଏମ ବା ଜୀବିକା ମିଶନ ସଂସ୍ଥାରେ ନିଜ ପଞ୍ଚାୟତରେ ଏମବିକେ ଭାବେ କାମ କରି ମାସିକ ୬ ହଜାର ଟଙ୍କା ଦରମା ପାଉଛନ୍ତି । ଏହା ସହ ବଡଚଣା କୃଷିବିଜ୍ଞାନ କେନ୍ଦ୍ରରେ ଛତୁ ଓ ଜିଆଖତ ଚାଷ ପାଇଁ ପ୍ରଶିକ୍ଷଣ ନେଇ ଏହି ଚାଷ ଆରମ୍ଭ କରିଥିବା ବେଳେ ଏଥିରେ ସହଯୋଗ କରୁଛନ୍ତି ତାଙ୍କ ସ୍ୱାମୀ । ଅନ୍ୟପଟେ ମୁକ୍ତାରାଣୀଙ୍କ ଏହି ଛତୁ ଫାର୍ମ ଏବେ ତିନିଲକ୍ଷ ଟଙ୍କାରେ ପହଞ୍ଚିଛି । ଛତୁ ଅମଳ ପରେ ସେଥିରୁ ବାହାରୁଥିବା ପଚାନଡାରୁ କିପରି ଭର୍ମି କମ୍ପୋଷ୍ଟ ପ୍ରସ୍ତୁତ ହୋଇପାରିବ ସେଥିନେଇ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ଏକ ସେଡ୍ ତିଆରି କରି ଏକାଥରେ ୫ଶହରୁ ଏକ ହଜାର ଛତୁ ବେଡ ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି । ମୁକ୍ତାରଣୀ ଏବଂ ତାଙ୍କ ସ୍ୱମୀଙ୍କର ଏହି ଉଦ୍ୟମ ଏବେ ତାଙ୍କ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛି ।