ପାଣି ପାଇଁ ଲାଗିଛି କଳି । ଅନୁଗୁଳରେ ଗରା ଡେକଚି ଧରି ରାସ୍ତା ଅବରୋଧ କଲେ ମହିଳା । ଆଠଗଡ଼ରେ ପାଣି ଟୋପାଏ ପାଇଁ ମାଡପିଟ୍ ।

103

କନକ ବ୍ୟୁରୋ: ପାଣି ଟିକିଏ ପାଇବା ଏବେଠୁ ଡହଳ ବିକଳ ହେଲେଣି ଲୋକେ । ଆଜି ନାଲକୋ-ତାଳଚେର ରାସ୍ତା ଉପରେ ଲୋକମାନେ ଏହାକୁ ନେଇ ପ୍ରତିବାଦ କରିଛନ୍ତି । ଖାଲି ସେତିକି ନୁହେଁ, ରାସ୍ତା ଉପରେ ଗରା ମାଠିଆ ରଖି ବାଉଁଶ ପକାଇ ଅବରୋଧ କରିଛନ୍ତି ମହିଳା । ଖରା ଦିନେ ପାଣି ମୁନ୍ଦାଏ ପାଇଁ ରାସ୍ତା ଅବରୋଧକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ଶୀତିରାସାହି ଗ୍ରାମବାସୀ । ୫୦ଟି ପରିବାରର ଅଭିଯୋଗ ହେଲା, ସେମାନେ ପିଇବା ପାଣି ପାଉନାହାନ୍ତି ।

ଅନ୍ୟପଟେ କଟକ ଜିଲ୍ଲା ତିଗିରିଆ ଗାଁରେ ପାଣି ପାଇଁ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ ପରିବାରର ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହାପରେ ନ୍ୟାୟ ପାଇଁ ଥାନା ଆଗରେ ଶୋଇଛନ୍ତି ପିଡିତାଙ୍କ ପରିବାର । ଅନ୍ୟପଟେ ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ପାଣି ପାଇଁ ଡହଳ ବିକଳ କେନ୍ଦ୍ରାପଡା ଜିଲ୍ଲା ବଙ୍ଗାଳପୁର ପଂଚାୟତର ୪ ଟି ଗାଁର ହଜାର ହଜାର ଲୋକେ । ଖରାଦିନରେ ଜଳସ୍ତର କମିଯିବାରୁ ଗାଁରେ ଥିବା ଅଧିକାଂଶ ନଳକୂପରୁ ପାଣି ବାହାରୁନି । ପାଣି ଯୋଗାଣ ବନ୍ଦ, ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ଗ୍ରାମବାସୀ । ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମବାସୀ ସଜବାଜ ହେଉଛନ୍ତି ।