କାମାକ୍ଷାନଗରର ଦୁଇ ଛାତ୍ର ତିଆରି କଲେ ଜଳଚକ୍ର । ଜମିରେ ମାଡିଲା ପାଣି, ବିଭିନ୍ନ ପନିପରିବା ଚାଷ କଲେ ପରିବାର, ଛାତ୍ରଙ୍କୁ ପ୍ରଶଂସା କଲେ ସ୍ଥାନୀୟ ଲୋକ ।

375

କନକ ବ୍ୟୁରୋ : ଦୁଇ ଛାତ୍ରଙ୍କ କମାଲ । ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ତିଆରି କଲେ ଜଳଚକ୍ର । ପାଣି ବୋତଲ ଓ କିଛି ବାଉଁଶ ଖଣ୍ଡରେ ତିଆରି ହୋଇଥିବା ଜଳଚକ୍ର ଯୋଗେ ଚାଷ ଜମିକୁ ଅହରହ ମାଡୁଛି ପାଣି । କାମାକ୍ଷାନଗର ବାଇସିଙ୍ଗା ଗାଁରୁ ଦୁଇ ଛାତ୍ରଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି ।

ଚାଷ ଜମିକୁ ପାଣି ନିହାତି ଆବଶ୍ୟକ । ତେବେ ବିନା ଖର୍ଚ୍ଚରେ କେମିତି ଜମିରେ ପାଣି ମାଡ଼ିବ, ସେ କଥା ଚିନ୍ତା କରିଛନ୍ତି ଢ଼େଙ୍କାନାଳ କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗାଁର ଦୁଇ ଛାତ୍ର ଜଗନ୍ନାଥ ଦାସ ଓ ବବୁଲ ସାହୁ । ଆଉ କେଇ ଖଣ୍ଡ ବାଉଁଶ, ଲୁହା ପାଇପ ଓ ବ୍ୟବହୃତ ପାଣି ବୋତଲରେ ତିଆରି କରିଛନ୍ତି ଜଳଚକ୍ର । ଆଉ ଚାଷ ଜମି ନିକଟ ଜୋରରେ ଏହି ଜଳଚକ୍ର କରି ଜମିକୁ ଜଳସେଚିତ କରି ପାରିଛନ୍ତି ଜଗନ୍ନାଥ ଓ ବବୁଲ ।

ମାତ୍ର ହଜାରେ ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଜଳଚକ୍ର । ଆଉ ଏହାଦ୍ୱାରା ଏବେ ନିଜ ଜମିରେ ବାଇଗଣ, ଭେଣ୍ଡି, କଖାରୁ, ଝୁଡ଼ଙ୍ଗ, ମକା, ଜହ୍ନି, ଟମାଟୋ ଭଳି ପନିପରିବା ଚାଷ କରିଛନ୍ତି ଛାତ୍ରଙ୍କ ପରିବାର ।

ସବୁ ଚାଷ କରାଯାଇଛି । ଏମିତି ଉଦ୍ୟମ ପାଇଁ ଛାତ୍ର ଦୁଇ ଜଣଙ୍କୁ ପ୍ରଶଂସା କରିବା ସହ ଏହା କେମିତି ହୋଇଛି ଜାଣିବା ପାଇଁ ଜଳଚକ୍ର ପାଖକୁ ଆସୁଛନ୍ତି ଆଖପାଖ ଗାଁର ଚାଷୀ । ଅନେକ ସମୟରେ ଜଳାଭାବ ଯୋଗୁଁ ଚାଷ ପ୍ରଭାବିତ ହୁଏ, ଜମି ପଡିଆ ପଡେ । ହେଲେ ଛାତ୍ରଦ୍ୱୟଙ୍କ ଜଳଚକ୍ର ଯୋଗୁଁ ଜମିରେ ଫସଲ ହସୁଛି ।