ବୟସ ୪୦, ହେଲେ ୧୧ ବର୍ଷ ହେଲା ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ପୁଳପୁଳା ଅଭିଯୋଗ । କାଗଜପତ୍ରରେ ବୟସ ପରିବର୍ତ୍ତନ କରି ଯୁବକ ପାଉଛନ୍ତି ଭତ୍ତା

245

କନକ ବ୍ୟୁରୋ: ଭତା ପାଇଁ ବୟସ ଜାଲିଆତି । କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକର ଗୋଖଣି ଗାଁରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ସୁବାସ ପରିଡା ଘର ରାଜନଗର ବ୍ଲକର ଗୋଖଣି ଗାଁରେ । ୨୦୧୧ ଭୋଟର ତାଲିକାରେ ସୁବାସଙ୍କ ବୟସ ରହିଛି ୪୪ ବର୍ଷ । ହେଲେ ୨୦୧୯ ଭୋଟର ତାଲିକାରେ ତାଙ୍କ ବୟସ ୨୨ ବର୍ଷ ବଢି ୬୪ ବର୍ଷ ହୋଇଯାଇଛି । ସେ ବର୍ଷେ ହେଲା ବାର୍ଦ୍ଧକ୍ୟ ଭତା ପାଉଛନ୍ତି ।

ମାନଗୋବିନ୍ଦ ଅଧିକାରୀ, ୨୦୧୧ ଭୋଟର ତାଲିକାରେ ବୟସ ୪୪ ବର୍ଷ ଓ ୨୦୧୯ରେ ତାଙ୍କ ବୟସ ବଢି ୬୬ ବର୍ଷ ହୋଇଛି । ସେ ୪ ବର୍ଷ ହେଲା ଭତା ପାଇ ଆସୁଛନ୍ତି । ଶୁକ ଦେଇ, ୨୦୧୧ ଭୋଟର ତାଲିକାରେ ବୟସ ରହିଛି ୪୬ ବର୍ଷ କିନ୍ତୁ ୨୦୧୯ ଭୋଟର ତାଲିକାରେ ବୟସ ୫୩ ବର୍ଷ ଲେଖାଯାଇଛି । ୧୦ ବର୍ଷ ହେଲା ନିୟମିତ ବାର୍ଦ୍ଧକ୍ୟ ଭତା ପାଉଛନ୍ତି ।

କେବଳ ଗୋଖଣି ଗାଁର ନୁହେଁ ଡେରା ପଂଚାୟତର ବିଭିନ୍ନ ଗାଁର ଭେଣ୍ଡିଆମାନେ ଭତା ପାଉଛନ୍ତି । ସୂଚନା ଅଧିକାର ତଥ୍ୟରେ ଏହାର ପର୍ଦ୍ଦାଫାସ ହୋଇଛି । ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଲେ କାଗଜ କଲମରେ ବୟସ ବଢୁଛି ଓ ଆରାମରେ ସରକାରୀ ସହାୟତା ମାସକୁ ମାସ ମିଳୁଛି । ସେପଟେ ଯୋଗ୍ୟହିତାଧିକାରୀ ହୋଇଥିଲେ ବି ଲାଂଚ ନଦେଲେ କାମ ହେଉନଥିବା ଅଭିଯୋଗ ମିଳିଛି ।

ଭେଣ୍ଡିଆ ଲୋକ ଭତା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଭତା ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି । ଏନେଇ ରାଜନଗର ବିଡିଓଙ୍କୁ ପଚାରିବାରୁ, କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । କହିଛନ୍ତି ଉପରୁ ନିର୍ଦ୍ଦେଶ ଅଛି ବିନା ଅନୁମତିରେ କାହାରିକୁ ପ୍ରତିକ୍ରିୟା ଦେଇ ହେବ ନାହିଁ ।