ଗୋଲାପୀ ସ୍କୁଟିରେ ବୁଲିବେ ମହିଳା ପୋଲିସ୍ : ଦିଲ୍ଲୀ ରାଜରାସ୍ତାରେ ଖାକି ପୋଷାକ ସାଙ୍ଗକୁ ଗୋଲାପୀ ରଙ୍ଗର ସ୍କୁଟି ଧରି ସହରର ହାଲଚାଲ୍ ବୁଝିବେ ମହିଳା ପୋଲିସ୍ ।

238

ମହିଳା ପୋଲିସ୍ ଙ୍କ ପାଇଁ ଅଭିନବ ପ୍ରୟାସ ଆପଣାଇଛି ଦିଲ୍ଲୀ ପୋଲିସ୍ । ଭାରତର ରାଜଧାନୀ ଦିଲ୍ଲୀରେ ମହିଳା ପୋଲିସ୍ ଙ୍କୁ ନୂଆ ଗୋଲାପୀ ରଙ୍ଗର ସ୍କୁଟି ପ୍ରଦାନ କରିଛି ବିଭାଗ । ଯାହା ସେମାନଙ୍କୁ ପୁରୁଷ ପୋଲିସଙ୍କ ଠାରୁ ଭିନ୍ନ ପରିଚୟ ପ୍ରଦାନ କରିଛି । କିନ୍ତୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ମହଲରେ ଏ ନେଇ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି । ସେମାନଙ୍କ କହିବାନୁସାରେ, ପୋଲିସ ଅଧିକାରୀଙ୍କ ବେଶଭୂଷାରେ କୌଣସି ଭେଦଭାଦ କରିବା ଅନୁଚିତ । ଯେହେତୁ ସେମାନେ ମହିଳା ପୋଲିସ, ତେଣୁ ତାଙ୍କୁ ପୋଲିସ ଡ୍ରେସ, ଗାଡି, ବନ୍ଧୁକ କିମ୍ବା ଗୋଳା ବାରୁଦରେ କୌଣସି ସ୍ୱତନ୍ତ୍ର କରିବା ଶୋଭା ଦେଉନାହିଁ । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ବିକ୍ରମ ସିଂହ କହିଛନ୍ତି, ୨୦୦୭ ଓ ୨୦୦୯ ମଧ୍ୟରେ ଉତ୍ତରପ୍ରଦେଶ ପୋଲିସର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ସେ ଏହି ୧୬ ଜଣିଆ ଟିମକୁ ସେପ୍ଟେମ୍ବରରେ ଉତ୍ତର-ପୂର୍ବ ଦିଲ୍ଲୀ ରାସ୍ତାରେ ଦେଖିଥିଲେ । ସେମାନେ ସହରର ଦୁର୍ବଳ ମହିଳାଙ୍କୁ ନ୍ୟାୟ ଦେବା ପାଇଁ କାମ କରୁଥିଲେ ।

ଟିମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଏବଂ ରାସ୍ତାରେ ସେମାନଙ୍କ ଉପସ୍ଥିତି ଅନୁଧ୍ୟାନ କରିବା ପାଇଁ ସେମାନଙ୍କୁ ଗୋଲାପି ରଙ୍ଗର ସ୍କୁଟି ଓ ହେଲମେଟ ପ୍ରଦାନ କରାଯାଇଛି । କିନ୍ତୁ ସେମାନଙ୍କ ପୋଷାକରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେମାନେ ଅନ୍ୟ ପୋଲିସ ଭଳି ସମାନ ଦେଖାଯିବେ । ପ୍ରଥମ ଥର ୨୦୧୪ ରେ ବାଇକ ଜନିତ ପେଟ୍ରୋଲିଂ ବ୍ୟବସ୍ଥାର ଆରମ୍ଭ କରାଯାଇଥିଲା । ପରେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ବାଇକକୁ ଅଫ-ୱାଇଟ ସ୍କୁଟିରେ ପରିବର୍ତ୍ତନ କରାଯାଇଥିଲା । ଆଉ ସେପ୍ଟେମ୍ବରରେ ସ୍କୁଟିର ରଙ୍ଗ ଗୋଲାପି ଓ ଧଳା ରଙ୍ଗର ଛିଟ ଛିଟ ସହିତ ପରିବର୍ତ୍ତନ କରାଯାଇଛି । ଡିସିପି ସୂର୍ୟ୍ୟଙ୍କ କହିବାନୁସାରେ, ୧୬ ପୋଲିସକର୍ମୀ ଟିମ ସବୁଦିନ ଏହି ଗୋଲାପି ଗାଡିରେ ପରିଦର୍ଶନ କରିବେ । ସେମାନଙ୍କୁ ଦୁଇଟି ସିଫ୍ଟରେ ଭାଗ କରାଯାଇଛି । ସକାଳ ୧୧ ଟାରୁ ଦ୍ୱିପ୍ରହର ୧ ଟା ଏବଂ ସନ୍ଧ୍ୟା ୫ ଟାରୁ ୭ ଟା ପର୍ୟ୍ୟନ୍ତ ପରିଦର୍ଶନ କରିବେ । ଆଠଟି ସ୍କୁଟିରେ ୨ ଜଣ ଲେଖାଏଁ ମହିଳା ପୋଲିସ ଅଛନ୍ତି । ଜଣେ ଡ୍ରାଇଭର ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀ । ସେ ନିଜ ସହିତ ପିସ୍ତଲ , ଲଙ୍କାଗୁଣ୍ଡ ସ୍ପ୍ରେ ରଖିଥାନ୍ତି । ଦିନକୁ ଦୁଇ ଥର ଡିସିପି କାର୍ୟ୍ୟାଳୟ ଠାରୁ ମୌଜପୁର, ବାବରପୁର, ଦୁର୍ଗାପୁରୀ, ନନ୍ଦ ନଗରୀ, ମୁଖ୍ୟ ବଜୀରାବାଦ ରୋଡ, ଯମୁନା ବିହାର, ଭଜନାପୁରା, ଶାସ୍ତ୍ରୀ ପାର୍କ, ଧର୍ମପୁରା ଆଦି ପରିଦର୍ଶନ କରିବେ ।