ଖାଉଟି ଆଖିରେ ଲୁହ ଦେଉଛି ପିଆଜ ! ୧୦୦ ଟପିଲାଣି ଦର, ଦେଶର ବିଭିନ୍ନ ସ୍ଥାନରୁ ୨୫ ଲକ୍ଷ ଟଙ୍କାର ପିଆଜ ଚୋରି ନେଇ ଆସିଲା ଅଭିଯୋଗ

316

କନକ ବ୍ୟୁରୋ : ଦେଶରେ ପିଆଜର ଆକାଶ ଛୁଆଁ ଦର ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଭିନ୍ନ ସହରରେ ପିଆଜ କିଲୋ ଏବେ ୧୦୦ ଟଙ୍କା ଟପିଗଲାଣି। କିଛି ସହରରେ ପିଆଜ ଦର କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ଏବେ ପିଆଜ ଚୋରି ଘଟଣା ବଢ଼ିଲାଣି। ବିଭିନ୍ନ ସ୍ଥାନରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ବିହାରରୁ ଟ୍ରକ୍‌ ଏବଂ ଦୋକାନମାନଙ୍କରୁ ପିଆଜ ଚୋରି ଘଟଣା ବୃଦ୍ଧି ପାଉଛି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁରରେ ପିଆଜ କିଲୋ ୧୦୦ ଟଙ୍କା ଥିବାବେଳେ ଏକ ଦୋକାନରୁ ୫୦,୦୦୦ ଟଙ୍କାର ପିଆଜ ଚୋରି ହୋଇଛି। ସେହିପରି ଅନ୍ୟ ଏକ ପରିବା ଦୋକାନରୁ ୧୦ ବସ୍ତା ପିଆଜ ଚୋରି ହୋଇଥିବା ନେଇ ଏତଲା ହୋଇଛି। ଗୁଜରାଟର ସୁରଟରେ ଏକ ପରିବା ବଜାରରୁ ପ୍ରାୟ ୧୯,୦୦୦ ଟଙ୍କାର ପିଆଜ ଚୋରି ହୋଇଛି। ସୁରଟ, ବଦୋଦରା ଏବଂ ଗୁଜରାଟର ଅନ୍ୟ ସହରମାନଙ୍କ‌ରେ ପିଆଜ କିଲୋ ପିଛା ୮୦-୧୨୦ ଟଙ୍କାରେ ବିକ୍ରି ହେଉଛି।

ଅନ୍ୟପକ୍ଷେ ମହାରାଷ୍ଟ୍ରର ନାଶିକ୍‌ରୁ ଉତ୍ତରପ୍ରଦେଶର ଗୋରଖପୁରକୁ ଟ୍ରକ୍‌ ଯୋଗେ ଯାଉଥିବା ୨୦ ଲକ୍ଷ ଟଙ୍କାର ପିଆଜ ବାଟରୁ ଚୋରି ହୋଇ ଯାଇଛି। ନାଶିକ ବ୍ୟବସାୟୀ ପ୍ରେମଚାନ୍ଦ ଶୁକ୍ଳା ୨୦ ଲକ୍ଷ ଟଙ୍କାର ପିଆଜ ଶିବପୁରର ଜା‌ଭେଦ ନାମକ ଜଣେ ପରିବହନକାରୀଙ୍କ ଟ୍ରକ୍‌ରେ ପଠାଇଥିଲେ। କିନ୍ତୁ ବାଟରୁ ପିଆଜ ଚୋରି ହୋଇଗଲା। ଏନେଇ ପ୍ରେମଚାନ୍ଦ ଏଫ୍‌ଆଇଆର ରୁଜୁ କରିଛନ୍ତି। ଉଲ୍ଲେଖଯୋଗ୍ୟ ପିଆଜ ଦର କ୍ରମାଗତ ବଢ଼ୁଥିଲେ ମଧ୍ୟ ସରକାର ମଧ୍ୟ ଏହାର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ପିଆଜ ଦର କେବେ କମିବ ବୋଲି ଗତ ବୁଧବାର ଦିନ ସଂସଦରେ ପ୍ରଶ୍ନ କରାଯିବାରୁ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନ  କହିଥିଲେ ଯେ ଏହା ସରକାରଙ୍କ ହାତରେ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ ୧.୨ ଲକ୍ଷ ମେଟ୍ରିକ୍ ଟନ୍‌ ପିଆଜ ଆମଦାନି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ କରିଥିଲେ।