ଆଜି ଭଦ୍ରକ କଲାମ ଦ୍ୱୀପରୁ ହେବ ‘ଅଗ୍ନି-୩’ର ପରୀକ୍ଷଣ,ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୩’

403

ଆଜି ଭଦ୍ରକ ଜିଲ୍ଲାର ଅବଦୁଲ୍ କଲାମ୍ ଦ୍ବୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡ୍ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯିବ। ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥି ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସ˚ସ୍ଥା (DRDO) ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ତ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୩ ଏକ ଇଣ୍ଟରମିଡିଏଟ୍ ବାଲାଷ୍ଟିକ କ୍ଷେପଣାସ୍ତ୍ର। ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨ ହଜାର କିଲୋଗ୍ରାମ। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ଅଗ୍ନି-୩। ସେକେଣ୍ତ ପିଛା ଏହାର ବେଗ ୬ କିଲୋମିଟର ଯିବ।

ଏହି କ୍ଷେପଣାସ୍ତ୍ରକୁ ଯେ କୌଣସି ରେଳ ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ । ଶତ୍ରୁପକ୍ଷର ୩୫ ଶହ କିଲୋମିଟରରୁ ୫ ହଜାର କିଲୋମିଟର ମଧ୍ୟରେ ଏହା ବ୍ୟାପକ ଧ୍ବଂସଲୀଳା ରଚିବାର କ୍ଷମତା ରଖିଛି । ପୂର୍ବରୁ ୨୦୧୫ ଏପ୍ରିଲ ୧୬ ତାରିଖ ଏବଂ ଶେଷଥର ପାଇଁ ୨୦୧୭ ଏପ୍ରିଲ ୨୭ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା ।