ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ବିମାନ: ଏବେ ବିଦେଶ ଯିବା ହେବ ସହଜ

366

କନକ ବ୍ୟୁରୋ: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିବାର ପ୍ରତୀକ୍ଷା ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡାଣର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ଉତ୍ସବ ମୁଖର ହୋଇଥିଲା ବିମାନବନ୍ଦର । ଏଣିକି ଏହି ବିମାନରେ, ସାରା ବିଶ୍ୱର ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ ପାଲଟିଥିବା ଦୁବାଇକୁ ଯାଇପାରିବେ ଓଡିଶାର ବିଭିନ୍ନ ବର୍ଗର ଲୋକ । । ଆଉ ପ୍ରଥମ ବିମାନରେ ମିଶନ ଶକ୍ତି ମହିଳାଙ୍କ ସମେତ, ଖେଳାଳି, ନେତା ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରିଥିବା ୧୭୦ ଜଣ ବ୍ୟକ୍ତି ଦୁବାଇ ଯାଇଛନ୍ତି ।

ଚୁକ୍ତି ଅନୁସାରେ, ଇଣ୍ଡିଗୋ ଏୟାରଲାଇନ୍ସ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସପ୍ତାହରେ ୩ ଥର ସିଧାସଳଖ ଦୁବାଇ ଯିବ ।
-ଦୁବାଇ ଯିବା ଆସିବା ପାଇଁ ଯାତ୍ରୀ ଭଡା ୨୦ ହଜାର ଟଙ୍କା ପଡିବ
– ଭୁବନେଶ୍ୱରରୁ ଦୁବାଇ ପହଁଚିବା ପାଇଁ ୪ ଘଂଟା ସମୟ ଲାଗିବ
-ସନ୍ଧ୍ୟା ୬.୩୦ଟାରେ ବାହାରି ରାତି ୧୦.୩୦ଟାରେ ପଂହଚିବ
-ପ୍ରତ୍ୟେକ ସୋମବାର,ବୁଧବାର ଓ ଶୁକ୍ରବାର ଦୁବାଇ ଯିବ ବିମାନ

ଏହାସହ ନିଜସ୍ୱ ଉଦ୍ୟମରେ ବିଦେଶକୁ ସିଧାସଳଖ ଉଡାଣ ଆରମ୍ଭ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ଏଥିପାଇଁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇଦେଇଛନ୍ତି । ପ୍ରଥମ ବିମାନରେ ଉଡିଥିବାରୁ ଯାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ସିଧାସଳଖ ବିମାନ ଉଡୁଥିବାରୁ ଦୁବାଇକୁ ଯାଇଛନ୍ତି ବିଜେଡିର କିଛି ନେତା । ସେଠାରେ ଏହି ନେତାମାେ ବିଭିନ୍ନ ସ୍ଥାନରେ ବୁଲିବା ସହ କେମିତି ଏତେ ବିକଶିତ ହୋଇଛି, ଟୁରିଜିମର ଡେଷ୍ଟିନେସନ ପାଲଟିଛି ତାହା ଦେଖିବେ ।ଆଗକୁ ସିଧାସଳଖ ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ବିମାନସେବା ଆରମ୍ଭ ହେବାକୁ ଯାଉଛି । ଏହା ପର୍ଯ୍ୟଟନ ଶିଳ୍ପକୁ ସୁଦୃଢ କରିବା ସହ ବିଭିନ୍ନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ସମ୍ଭାବନା ରହିଛି ।