ରାଜ୍ୟରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ସନ୍ଧ୍ୟା ସାଢେ ୬ଟା ଯାଏଁ ସତର୍କ ରହିବାକୁ ପରାମର୍ଶ

293

କନକ ବ୍ୟୁରୋ : ରାଜ୍ୟରେ ସନ୍ଧ୍ୟା ସାଢେ ୬ ଟା ମଧ୍ୟରେ ହୋଇପାରେ ଘୂର୍ଣ୍ଣିଝଡ ଓ ବଜ୍ରପାତ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସୂଚନାରେ କୁହାଯାଇଛି କି ରାଜ୍ୟରେ ୧୨ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାହେବା ସହ ଅନ୍ୟ ଜିଲ୍ଲାମାନଙ୍କରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ହୋଇପାରେ । ଏନେଇ ଭୂବନେଶ୍ୱର ପାଣିପାଗ ବିଭାଗର ସୂଚନା ମୁତାବକ ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ପାରଦ ତଳମୁହାଁ ରହିଛି । ଗତକାଲି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଥିଲା । ଆଜି ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ ବର୍ଷା ହେବ । ପବନର ବେଗ ମଧ୍ୟ ଘଂଟା ପତି ୪୦ କିଲୋମିଟର ରହିବ । ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ଗଜପତି, ଗଂଜାମ, ବୌଦ୍ଧ, ସୋନପୁର,ବଲାଙ୍ଗୀର, କଟକ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୁରଭଂଜ ।

ଏହାକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ର ଆହୁରି ମଧ୍ୟ କହିଛି କେବଳ ୧୩ ତାରିଖକୁ ବାଦ ଦେଇ ୧୨ ଓ ୧୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ୧୨ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, ନୟାଗଡ଼, କଟକ, ବୌଦ୍ଧ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥି ଯୋଗୁଁ ରାଜ୍ୟରେ ପାଗ ଥଣ୍ଡା ରହିବ ଓ ଆସନ୍ତା ୪ ଦିନ ଯାଏଁ ତାତି ବଢ଼ିବ ନାହିଁ ।