ବୁଦ୍ଧିମତୀ ବୋହୂ । ଘରେ ପଶିଥିଲେ ଡକାୟତ, ଉପସ୍ଥିତି ବୁଦ୍ଧି ଖଟାଇ ଡକାୟତଙ୍କୁ ଧରାଇଦେଲେ ସାହସୀ ବୋହୂ ।

327

କନକ ବ୍ୟୁରୋ : ଜଣେ ସାହସୀ ବୋହୁଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଧରାପଡି ଯାଇଛନ୍ତି ଡକାୟତି ଗ୍ୟାଙ୍ଗ । ଲୁଟ୍ ଉଦେଶ୍ୟରେ ହାତରେ ମାରଣାସ୍ତ୍ର ଧରି ଘର ଭିତରେ ଡକାୟତମାନେ ଆତଙ୍କ ଚଳାଇଥିଲେ । ସେହି ସମୟରେ, ଘରର ସାନ ବୋହୁ, ଗର୍ଭବତୀ ଥିଲେ ବି, ଉପସ୍ଥିତ ବୁଦ୍ଧି ଖଟାଇ ଖଟତଳେ ଲୁଚିଯିବା ସହ ଫୋନ କରି ସମ୍ପର୍କୀୟଙ୍କୁ ଜଣାଇଥିଲେ । ଫୋନ ପାଇବା ପରେ ଗାଁର ଅନ୍ୟମାନଙ୍କୁ ସାଂଗରେ ଧରି ପହଁଚିଯାଇଥିଲେ ଦେଢ଼ଶୂର । ଆଉ ଖସିଯାଉଥିବା ଡକାୟତଙ୍କ ମଧ୍ୟରୁ ୨ଜଣଙ୍କୁ ମାଡି ବସିଥିଲେ ।
ଜଣେ ସାହାସୀ ବୋହୁଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିବା ସଶସ୍ତ୍ର ଡକାୟତ ଧରାପଡିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା କାକଟପୁରରୁ ଆସିଛି ଜଣେ ବୋହୂଙ୍କ ସାହସର କାହାଣୀ ।

ସ୍ଥାନ- କାକଟପୁର, କେନ୍ଦ୍ରାପଡା
ସମୟ- ରାତି ପ୍ରାୟ ୨ଟା
ଦିନ – ଏପ୍ରିଲ ୯ ତାରିଖ
କାକଟପୁର ଗାଁର କାର୍ତିକ ସ୍ୱାଇଁଙ୍କ ଘରେ ଲୁଟ ଉଦ୍ଦେଶ୍ୟରେ ପଶିଯାଇଥିଲେ ୬ରୁ ୭ ଜଣ ସଶସ୍ତ୍ର ଡକାୟତ । ବନ୍ଧୁକରୁ ଗୁଳି ଫୁଟାଇ ପରିବାରର ସମସ୍ତଙ୍କୁ ମାଡମାରି ଭୟଭୀତ କରିଥିଲେ । ମାରଣାସ୍ତ୍ର ଓ ବନ୍ଧୁକର ଭୟ ଦେଖାଇ ପରିବାରର ସମସ୍ତଙ୍କୁ ଏକାଠି କରି ଲୁଟପାଟ୍ ଆରମ୍ଭ କରିଥିଲେ । କିନ୍ତୁ ଘରର ସାନବୋହୂ ଖଟ ତଳେ ଲୁଚିଯାଇ ସଂପର୍କୀୟଙ୍କୁ ଫୋନ କରି ଡକାୟତି ହେଉଥିବା ଜଣାଇଥିଲେ ।

ଫୋନରେ ଡକାୟତି ହେଉଥିବା ଜାଣିବା ପରେ କାର୍ତିକଙ୍କ ଘରକୁ ଧାଇଁ ଆସିଥିଲେ ସଂପର୍କୀୟ ଓ ଗ୍ରାମବାସୀ । ଲୋକେ ଆସୁଥିବା ଜାଣି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଡକାୟତଙ୍କୁ ମାଡି ବସିଥିଲେ ଗାଁ ଲୋକେ । ଆଉ ସାନ ବୋହୂଙ୍କ ଉପସ୍ଥିତି ବୁଦ୍ଧି ଓ ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଦୁଇ ଡକାୟତଙ୍କୁ ଗାଁଲୋକେ କାବୁ କରି ପୁଲିସକୁ ଖବର ଦେଇଥିଲେ । ଗିରଫ ଦୁଇ ଡକାୟତଙ୍କୁ ଜେରା କରି କେନ୍ଦ୍ରାପଡା ପୁଲିସ ଏହି ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗର ସମସ୍ତ ୧୮ ଜଣ ସଦସ୍ୟଙ୍କୁ ଗିରଫ କରିଛି । ବୁଦ୍ଧିମତୀ ବୋହୂଙ୍କ ସାହସିକତା ଯୋଗୁଁ ପୁରା ଡକାୟତ ଗ୍ୟାଙ୍ଗ ଧରା ପଡିଛି ।