ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ସିଲାବସ କାଣ୍ଟଛାଣ୍ଟ କଲା ସିବିଏସଇ । ହଟାଇଲା, ମୁସଲିମ୍ ଶାସକ ଓ ଇସଲାମୀୟ ସାମ୍ରାଜ୍ୟ ସମ୍ବଳିତ ବିଷୟବସ୍ତୁ ତେଜିଲା ବିବାଦ, ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି ।

147

କନକ ବ୍ୟୁରୋ : ସିବିଏସଇ ସିଲାବସରେ ହୋଇଛି କାଣ୍ଟଛାଣ୍ଟ । ଦଶମରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମରୁ କିଛି ବିଷୟକୁ ହଟାଇ ଦେଇଛନ୍ତି କର୍ତୁପକ୍ଷ । ସେଥିରେ ରହିଛି ଇସଲାମିକ ସାମ୍ରାଜ୍ୟର ଉତଥାନ , ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ, ଶିଳ୍ପ ବିପ୍ଳବ ଆଦି ବିଷୟ ବସ୍ତୁ । ଏହାକୁ ନେଇ ବିବାଦ ତେଜିଛି । ବିଶେଷଜ୍ଞଙ୍କ ମତ ଇତିହାସକୁ ଲୁଚାଇବା ସମ୍ଭବ ନୁହେଁ । ତୁରନ୍ତ ଏହି ନିଷ୍ପତି ପ୍ରତ୍ୟାହାର କରୁ ସିବିଏସଇ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସିଲାବସରୁ ଇସ୍ଲାମୀୟ ସାମ୍ରାଜ୍ୟର ଉତ୍ଥାନ, ମୋଗଲ କୋର୍ଟ ଏବଂ ଶିଳ୍ପ ବିପ୍ଲବ ଭଳି ବିଷୟବସ୍ତୁକୁ ବାଦ ଦିଆଯାଇଛି । ପାଠ୍ୟକ୍ରମକୁ ଯୁକ୍ତିନିଷ୍ଠ କରିବା ଓ ଏନସିଇଆରଟିର ସୁପାରିଶ କ୍ରମେ ସିଲାବସ ପରିବର୍ତନ କରାଯାଇଥିବା ସିବିଏସଇ ସୂତ୍ରରୁ ଜଣାପଡିଛି । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଏହି ନୂଆ ପାଠ୍ୟକ୍ରମ ପଢାଯିବ ବୋଲି ବିଦ୍ୟାଳୟଗୁଡିକୁ କୁହାଯାଇଛି ।

ସିବିଏସଇ ଏକାଦଶ ଶ୍ରେଣୀର ଇତିହାସ ପାଠ୍ୟକ୍ରମରୁ ବାଦ୍ ପଡିଛି ‘ସେଣ୍ଟ୍ରାଲ ଇସଲାମିକ ଲ୍ୟାଣ୍ଡସ’ ଏବଂ ଦ୍ୱାଦଶ ଶ୍ରେଣୀରୁ ‘ଦି ମୋଗଲ କୋର୍ଟ: ରିକନଷ୍ଟ୍ରକ୍ଟ୍ରିଂ ହିଷ୍ଟ୍ରିଜ୍ ଥ୍ରୁ କ୍ରୋନିକିଲ୍ସ’ ଅଧ୍ୟାୟ ବାଦ ପଡିଛି । ସେହିଭଳି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଥିବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଆଫ୍ରିକୀୟ-ଏସୀୟ ଅଂଚଳର ଇସଲାମୀୟ ସାମ୍ରାଜ୍ୟର ଉତଥାନ, ଶୀତଳ ଯୁଦ୍ଧ ଯୁଗ, ମୋଗଲ କୋର୍ଟ ଏବଂ ଶିଳ୍ପ ବିପ୍ଲବ ଭଳି ଅଧ୍ୟାୟଗୁଡିକୁ ବାଦ ଦିଆଯାଇଛି । ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ‘କୃଷିକ୍ଷେତ୍ରରେ ଜଗତିକରଣର ପ୍ରଭାବ’ ଅଧ୍ୟାୟକୁ ବାଦ ଦିଆଯାଇଥିବାବେଳେ ଫଏଜ ଅହମ୍ମଦ ଫଏଜଙ୍କ ଦୁଇଟି କବିତାକୁ ମଧ୍ୟ ବାଦ ଦିଆଯାଇଛି ।

ତେବେ ସିବିଏସଇର ଏପରି ନିଷ୍ପତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ଇତିହାସ ଲୁଚାଇବା ସମ୍ଭବ ନୁହେଁ, ଇତିହାସକୁ ସମସ୍ତେ ଜାଣିବା ଉଚିତ । ତେଣୁ ସିବିଏସଇ ତାର ନିଷ୍ପତିକୁ ପ୍ରତ୍ୟାହାର କରୁ ବୋଲି ଦାବି ହେଉଛି । ପାଠ୍ୟକ୍ରମ କାଣ୍ଟଛାଣ୍ଟ ନିଷ୍ପତ୍ତିକୁ ଓହରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ସିବିଏସଇକୁ ଅନୁରୋଧ କରିବ ବୋଲି କହିଛି ରାଜ୍ୟ ଅଭିଭାବକ ମହାସଂଘ ।
ସିବିଏସଇ ପକ୍ଷରୁ ପାଠ୍ୟକ୍ରମରେ ପରିବର୍ତନ ଧାରା ବହୁ ପୁରାତନ । ବୋର୍ଡ ପକ୍ଷରୁ ବିଭିନ୍ନ ପକ୍ଷଙ୍କ ମତାମତ ଓ ସାମ୍ପ୍ରତିକ ସ୍ଥିତିକୁ ବିଚାରକୁ ନେଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ପରିବର୍ତନ କରାଯାଇଥାଏ । କିନ୍ତୁ ନିର୍ଦ୍ଦିଷ୍ଟ କିଛି ବିଷୟକୁ ବାଦ ଦେବା ବିବାଦୀୟ ହୋଇପଡିଛି ।