ମୋତେ ସାହା ହେବାକୁ କେହି ନାହିଁ । ମୋ ଦୁଃଖ ବୁଝିବାକୁ କେହି ନାହିଁ । ବାତ୍ୟା ବୁଲବୁଲ ସବୁକିଛି ଶେଷ କରିଦେବା ପରେ ଏବେ ବାହୁନି ବାହୁନି କାନ୍ଦୁଛି କୁଶୁମ ।

576

କନକ ବ୍ୟୁରୋ : ବାତ୍ୟା ବୁଲବୁଲ ଆସିଲା, ଆଉ ଓଡ଼ିଶାର ଅତି ନିକଟରୁ ଚାଲିଗଲା । କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ଅନେକ ପରିବାରର ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା ବୁଲବୁଲ । ବାତ୍ୟା ଚାଲିଯିବାର ୮ ଦିନ ବିତିଯାଇଛି ସତ, କିନ୍ତୁ ଦେଇଥିବା କ୍ଷତ ଏଯାଏଁ ଶୁଖିନି । କିଏ ବାସହରା ହୋଇଛି ତ ପୁଣି କାହାର ଜୀବନ ଯାକର ପୁଞ୍ଜିକୁ ଉଡାଇ ନେଇଛି ବାତ୍ୟା । ଆଉ ବାତ୍ୟା ପ୍ରଭାବିତ ସେହି ଶହ ଶହ ଲୋକଙ୍କ ମଧ୍ୟରୁ କେନ୍ଦ୍ରାପଡା ରାଜନଗରର କୁଶୁମ ସେଠୀ ଜଣେ । ବାତ୍ୟା ଚାଲିଯାଇଛି, କିନ୍ତୁ କୁଶୁମ ଆଖିରୁ ଲୁହ ଶୁଖୁନି । ଦୁଇ ବାପ ଛେଉଣ୍ଡ ପୁଅଙ୍କୁ ଧରି କେମିତି ବଞ୍ଚିବ ସେକଥା ଭାବି ଭାବି ବାହୁନି ବାହୁନି କାନ୍ଦୁଛି କୁଶୁମ ।

ମୋତେ ସାହା ହେବାକୁ କେହି ନାହିଁ । ମୋ ଦୁଃଖ ବୁଝିବାକୁ କେହି ନାହିଁ । କ୍ୟାମେରା ଆଗରେ ନିଜର ଦୁଃଖ ବଖାଣୁଥିବା ବେଳେ କୁଶୁମ ଆଖିରୁ ଏମିତି ଝରି ଚାଲିଥିଲା ଅନବରତ ଲୁହ । କାରଣ ବାତ୍ୟା ବୁଲବୁଲ ସବୁ କିଛି ଛଡାଇ ନେଇଥିଲା । ବାତ୍ୟା ରାତିରେ ନିଜର ପିଲାଙ୍କୁ ଧରି ଘରେ ଶୋଇଥିବାବେଳେ ପବନରେ ଘରର କାନ୍ଥ ଗଳିପଡିଲା । ଜୀବନ ବଞ୍ଚାଇ ରାତି ଅଧରେ ପଡିଶା ଘରକୁ ନିଜର ପିଲାଙ୍କୁ ଧରି ଚାଲିଯାଇଥିଲେ କୁସୁମ । ଜୀବନ ସିନା ବଞ୍ଚିଯାଇଥିଲା କିନ୍ତୁ ସବୁଦିନ ପାଇଁ ସେମାନଙ୍କୁ ବାସହରା କରିଦେଲା ବାତ୍ୟା ବୁଲବୁଲ । ସ୍ୱପ୍ନର ଘର ଭାଙ୍ଗି ଯାଇଥିଲେ ମଧ୍ୟ ତାଙ୍କ ପାଖରେ ଆହା ପଦେ କହିବାକୁ କେହି ନଥିଲେ । ଆଉ ଏସବୁ ଭିତରେ ବାପଛେଉଣ୍ଡ ଦୁଇ ପିଲାଙ୍କୁ ଗଣ୍ଡିଏ ଖାଇବା ଦେବା ଯେପରି ଏବେ ସ୍ୱପ୍ନ ପାଲଟିଛି କୁଶୁମଙ୍କ ପାଇଁ ।
ଏସବୁ ଭିତରେ କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି । କିନ୍ତୁ ଏଯାଏଁ କୁଶୁମଙ୍କ ପାଖରେ ନା ପ୍ରଶାସନ ପହଞ୍ଚିଛି ନା ସରକାରୀ ସହାୟତା ।