ଅପପୁଷ୍ଟି ଭିତରେ ଓଡ଼ିଶାର ଭବିଷ୍ୟତ ? ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ୨୩, ୪୨୯ ଶିଶୁ ଅପପୁଷ୍ଟିର ଶିକାର, ଭୋକର ଭୂଗୋଳ କଳାହାଣ୍ଡିରେ ସର୍ବାଧିକ ।

280

କନକ ବ୍ୟୁରୋ : ଅପପୁଷ୍ଟିର ଶିକାର ହେଉଛନ୍ତି ରାଜ୍ୟର ଭବିଷ୍ୟତ । ଯୋଜନା ପରେ ଯୋଜନା ହେଉଛି, ହେଲେ ହଜାର ହଜାର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ୱୀକାର କରିଛନ୍ତି ୨୩ ହଜାର ୪୨୯ ଜଣ ଶିଶୁଙ୍କ ଓଜନ ଅତି କମ୍ । ଏଥିପାଇଁ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ବିରୋଧୀ ।

ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ୨୩, ୪୨୯ ଶିଶୁ ଅପପୁଷ୍ଟିର ଶିକାର, ଭୋକର ଭୂଗୋଳ କଳାହାଣ୍ଡିରେ ସର୍ବାଧିକ । ଶିଶୁ ଅପପୁଷ୍ଟିର କଥା ଆସିଲେ ସାମନାକୁ ଆସେ ନଗଡା କଥା । ପ୍ରଶାସନର ଉଦ୍ୟମ ପରେ ବି ସଂପୂର୍ଣ୍ଣ ବଦଳିପାରିନି ନଗଡାର ଚିତ୍ର । ଏପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ଦେଇ ଯେଉଁ ତଥ୍ୟ ରଖିଛନ୍ତି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ସାରା ରାଜ୍ୟରେ ୨୩ ହଜାର ୪୨୯ଜଣ ଶିଶୁ ସାଂଘାତିକ ଅପପୁଷ୍ଟିରେ ଶିକାର ହୋଇଛନ୍ତି । ଏହି ଶିଶୁମାନଙ୍କ ଓଜନ ଅତି କମ୍ ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ । ଆଉ ସବୁଠୁ ଅଧିକ ଅପପୁଷ୍ଟିର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଶିଶୁ ।

ମହିଳା ଓ ଶିଶୁଙ୍କ ପାଇଁ ଯୋଜନା ପରେ ଯୋଜନା ହେଉଛି । ରାଜ୍ୟରେ ମୋଟ ୭୨ ହଜାର ୫୮୭ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଯେଉଁଥିରେ ୧୪ ଲକ୍ଷ ୭୪ହଜାର ୮୧୦ଜଣ ଶିଶୁ ଅଙ୍ଗନବାଡିକୁ ଆସୁଛନ୍ତି । ପିଲାଙ୍କୁ ଅଣ୍ଡା, ଛତୁଆ ଭଳି ସନ୍ତୁଳିତ ଖାଦ୍ୟ ଦିଆଯାଉଛି, ସେନେଇ ବିଭାଗ ପକ୍ଷରୁ ଅନେକ କିଛି ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଆହୁରି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ମଧ୍ୟ ରହିଛି । ଏସବୁ ସ୍ୱତ୍ୱେ କାହିଁକି ଶିଶୁ ଅପପୁଷ୍ଟି ଦୂର ହୋଇନାହିଁ, ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିପାଇଁ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଅପପୁଷ୍ଟିରେ ଶିକାର ହୋଇ ନଗଡ଼ାରେ ଅନେକ ଶିଶୁଙ୍କ ଜୀବନ ଯାଇଛି । କେବଳ ନଗଡ଼ା ନୁହେଁ, ରାଜଧାନୀର ଉପକଣ୍ଠରୁ ବି ଏପରି ଅଭିଯୋଗ ଆସୁଛି । ସରକାରଙ୍କ ମାଳ ମାଳ ଯୋଜନା ପରେ ବି ଅପପୁଷ୍ଟି ଶିଶୁଙ୍କ ଭାଗ୍ୟ କେବେ ପରିବର୍ତ୍ତନ ହେବ ତାହା ସବୁଠୁ ବଡ ପ୍ରଶ୍ନ ।