ଏସିଏଫ୍ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ : ଘର ଭିତରେ ପୋଡା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଅଧିକାରୀ; ପାରିପାର୍ଶ୍ବିକ ସ୍ଥିତି ସହ ଘର ବାହାର ଯାଞ୍ଚ କଲେ ଟିମ୍

947

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଞ୍ଜନଙ୍କ ସରକାରୀ କ୍ୱାର୍ଟରରେ ରହିଛି ପୋଡ଼ା ଦାଗ । କ୍ରାଇମସିନରେ ଯାଂଚ କରୁଥିବା କ୍ରାଇମବ୍ରାଂଚ ଟିମର ମୁଖ୍ୟ ଡିଏସପି ବିଜୟ କୁମାର ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଯାଂଚ କରୁଥିବା କ୍ରାଇମବ୍ରାଂଚ ଟିମକୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ କ୍ୱାର୍ଟର ଭିତରେ କୌଣସି କଳା ଚିହ୍ନ ରହିଛି କି? ଏହାର ଉତ୍ତରରେ କ୍ରମାଇବ୍ରାଂଚ ଅଧିକାରୀ କହିଛନ୍ତି କଳା ଦାଗ ଓ ପୋଡ଼ା ଦାଗ ରହିଛି ।

ଆଜି ଦିନ ପ୍ରାୟ ୧୧ଟାରୁ କ୍ରାଇମସିନରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ । ଘର ଭିତରେ ମତ୍ୟୁ ମାମଲାରେ କ୍ରାଇମସିନ୍ ବୁଲି ଦେଖୁଛି କ୍ରାଇମବ୍ରାଂଚ । ଏଥିପାଇଁ କ୍ରାଇମବ୍ରାଂଚ ଟିମ୍ ସହ ପହଂଚିଛି ପାରଳାଖମୁଣ୍ଡି ପୋଲିସ । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ଯାଇ ତଦନ୍ତ କରିଛି କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମସିନ କରାଯିବ । ଏହାଛଡା ଡିଏଫଓ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ ।

ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।