ମାସେ ଯାଏଁ ଶରୀରରେ ରହୁଛି ଭାଇରସ! ଡେଲ୍ଟା ଭାଇରସ ଯୋଗୁଁ ବଢୁଥିଲା ସଂକ୍ରମଣ, ସୂଚନା ଦେଲେ ଆଇଏଲଏସ ନିର୍ଦ୍ଦେଶକ ।

1,890

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଆସିଲା ନୂଆ ତଥ୍ୟ । ଏବେ ଭାଇରସ ମଣିଷ ଶରୀରରେ ୩ରୁ ୪ ସପ୍ତାହ ଅଥାର୍ତ ପାଖାପାଖି ମାସେ ସମୟ ଧରି ରହୁଛି । ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଆଇଏଲଏସ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କର ୧୫ ଦିନରେ ନେଗେଟିଭ ରିପୋର୍ଟ ଆସୁଥିଲା । କିନ୍ତୁ ଏବେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଭାଇରସ ସକ୍ରିୟ ରହୁଛି ।

ସବୁଠୁ ବଡ କଥା ହେଲା, ଦ୍ୱିତୀୟ ଲହରରେ ଡେଲ୍ଟା ଭାଇରସ ଯୋଗୁଁ ସ୍ଥିତି ସଙ୍ଗୀନ ହେଲା । ଦେଶ ତଥା ରାଜ୍ୟରେ ଅଧିକାଂଶ ସଂକ୍ରମିତଙ୍କ ଶରୀରରେ ଡେଲ୍ଟା ଭାଇରସ ଚିହ୍ନଟ ହୋଇଥିଲା । ଦେଶରେ ୯୦ରୁ ୯୬ ପ୍ରତିଶତ ଲୋକ ଡେଲ୍ଟା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୯୨ରୁ ୯୩ ପ୍ରତିଶତ ରହିଛି ।

ଏସବୁ ଭିତରେ କୋଭିଡ କଟକଣା କୋହଳ ହୋଇଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ଏବେ ବି କମୁନି । ଯଦି ଏବେଠୁ ସଚେତନ ଓ ସତର୍କ ନହେବା ତେବେ ତୃତୀୟ ଲହରର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ତେବେ ଏଥିପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି ଅଜୟ । ଖାସକରି ଟିକାକରଣ, ଲୋକଙ୍କର ବ୍ୟବହାର ଓ ଭାଇରସ ଯଦି ରୂପ ବଦଳାଏ ତେବେ ତୃତୀୟ ଲହରର ଆଶଙ୍କା ଅଧିକ ବଢିବ । ଏସବୁ ବାଦ୍ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟିଂକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଅଜୟ । ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ କରୋନା ସଂକ୍ରମିତ ନିଶ୍ଚିତ ବୋଲି ସେ କହିଛନ୍ତି । ସେହିଭଳି ଆଣ୍ଟି ଜେନ ଟେଷ୍ଟରେ ନେଗେଟିଭ ଆସିଲେ ମଧ୍ୟ ଆରଟିପିସିଆର ଟେଷ୍ଟରେ ପଜିଟିଭ ଆସୁଛନ୍ତି । ତେଣୁ ସଂକ୍ରମଣ ବାବଦରେ ନିଶ୍ଚିତ ହେବାକୁ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ୨ଟି ଡୋଜ ଟୀକା ନେବା ପରେ ସଂକ୍ରମିତ ହେବାର ସମ୍ଭାବନା କମ ବୋଲି କହିଛନ୍ତି ଅଜୟ ।