‘ଭାସ୍କର’ ଖବର କାଗଜ ମାଲିକଙ୍କ ବାସଭବନରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିଥିବା ନେଇ ଅଭିଯୋଗ

147

କନକ ବ୍ୟୁରୋ : କର ଚୋରୀ ଅଭିଯୋଗରେ ଦୈନିକ ଖବର କାଗଜ ‘ଭାସ୍କର’ ଖବର କାଗଜର ମାଲିକଙ୍କ ଘର ଓ ସଂସ୍ଥା ଉପରେ ଚଢାଉ କରିଛି ଆୟକର ବିଭାଗ । ସୂଚନା ମୁତାବକ ଗତକାଲି ରାତି ୨ ଟା ପରେ କମ୍ପାନୀର କାର୍ଯ୍ୟାଳୟ ଉପରେ ଚଢାଉ ହୋଇଛି । ଆୟକର ତଦନ୍ତକାରୀ ଦଳ ତରଫରୁ ଭାସ୍କର ମାଲିକଙ୍କ ନୋଏଡା, ଜୟପୁର ଓ ଅହମ୍ମଦାବାଦ କାର୍ଯ୍ୟାଳୟ ଉପରେ ଏକା ସାଙ୍ଗରେ ଚଢାଉ କରିଛି ।

କୁହାଯାଇଛି କି, ଅୟକର ବିଭାଗର ଏହା ଏକ ବଡ ଚଢାଉ । ଭାସ୍କର କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିଛି ଆୟକର ବିଭାଗ । ଏହାସହ କୌଣସି କର୍ମଚାରୀଙ୍କୁ କମ୍ପାନୀ ପରିସର ବାହାରକୁ ବାହାରିବାକୁ ଦିଆଯାଇ ନାହିଁ । ଆୟକର ବିଭାଗର ଏହି ଟିମ୍ ପ୍ରେସ କମ୍ପେ୍ଲକ୍ସ ସହିତ ୬ ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିଳିଛି ।

ଏହି ଚଢାଉରେ ଆୟକର ବିଭାଗ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ସ୍ଥାନୀୟ ପୋଲିସ ସହଯୋଗ କରିଛନ୍ତି । ପୁରା ସର୍ଚ୍ଚ ଅପରେଶନ ଦିଲ୍ଲୀ ଓ ମୁମ୍ବାଇ ଟିମ୍ ଦ୍ୱାରା କରାଯାଉଛି । ଏହି ଚଢାଉରେ ୧୦୦ ରୁ ଅଧିକ କର୍ମଚାରୀ ସାମିଲ ଥିବା କୁହାଯାଇଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଏହି ଚଢାଉକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ ‘ରେଡ ଜୀବୀ ଜୀ’ ଗଣମାଧ୍ୟମର ସ୍ୱାଧିନତା ଉପରେ ଭୀରୁତାର ଆକ୍ରମଣ । ଗଣମାଧ୍ୟମ ଉପରେ ସରକାରଙ୍କ ଏଭଳି ଆକ୍ରମଣକୁ ନିନ୍ଦା କରି ସେ କହିଛନ୍ତି କି ଏଭଳି କରି ଗଣମାଧ୍ୟମର ସ୍ୱରକୁ ଚପାଇ ଦିଆଯାଇ ପାରିବ ନାହିଁ ।