ଚୀନରେ ବିକ୍ଷୋଭ : ରାସ୍ତାକୁ ଓହ୍ଳାଇଲେ ଲୋକେ, ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି; କହିଲେ, ଲକଡାଉନ ନୁହଁ ସ୍ୱାଧୀନତା ଆବଶ୍ୟକ

104

କନକ ବ୍ୟୁରୋ : ଚୀନରେ ଜିରୋ କୋଭିଡ୍ ନୀତି ବିରୋଧରେ ଲୋକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସହରକୁ ବ୍ୟାପୁଛି ଆନ୍ଦୋଳନ । ୧୩ ସହରରେ ଗଣବିକ୍ଷୋଭ ବ୍ୟାପକ ହେବାରେ ଲାଗିଛି । ହଜାର ହଜାର ଆନ୍ଦୋଳନକାରୀ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ।

କୋଭିଡ୍ ନିୟମକୁ ତୁରନ୍ତ ହଟାଇବା ପାଇଁ ଦାବି ଉଠିଛି । କଟକଣା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ଏହା ସହ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଛିଡ଼ା ହୋଇଛି ବଡ଼ ଚ୍ୟାଲେଞ୍ଜ । ଜିନପିଙ୍ଗଙ୍କ ଶାସନ ବେଳେ କେବେ ବି ଏତେବଡ଼ ବିକ୍ଷୋଭ ହୋଇନଥିଲା । ଜିନପିଙ୍ଗଙ୍କ ଏକ ଛତ୍ରବାଦ ଶାସନ ବିରୋଧରେ କେହି କେବେ ମୁହଁ ଖୋଲିବାକୁ ସାହସ କରୁନଥିଲେ ।

ରାଲି ଓ ବିକ୍ଷୋଭ ପ୍ରଥମେ କେବଳ ରାଜଧାନୀ ବେଜିଂ ଓ ସାଂଘାଇରେ ସୀମିତ ଥିଲା । ତାହା ଏବେ ବନାଗ୍ନି ପରି ଚେଙ୍ଗଡ଼ୁ, ଗୁଆଂଗଝୁ, ଉରୁମକି, ନାନଜିଙ୍ଗ ଓ ଉହାନ ପର୍ଯ୍ୟନ୍ତ ବ୍ୟାପିଲାଣି । ଗତକାଲି ଲୋକମାନେ ବାରିକେଡ ଭାଙ୍ଗିବା ସହ କୋଭିଡ୍ ଟେଣ୍ଟଗୁଡ଼ିକୁ ତଳେ ଶୁଆଇ ଦେଇଥିଲେ ଏବଂ କୋଭିଡ୍ କଟକଣା ହଟାଇବାକୁ ଦାବି କରିଥିଲେ । ହଜାର ହଜାର ଛାତ୍ର ଏହି ଆନ୍ଦୋଳନରେ ଭାଗ ନେଇଥିବା ଦେଖିବାକୁ ମିଳିଛି । ‘ଲକ୍‌ଡାଉନ୍ ନୁହେଁ, ସ୍ବାଧୀନତା ଚାହୁ’ ‘କୋଭିଡ୍ ଟେଷ୍ଟ ନୁହେଁ, ଖାଦ୍ୟ ଚାହୁ’ ବୋଲି ବେଜିଂସ୍ଥିତ ପେକିଂ ୟୁନିଭର୍ସିଟି ପାଚେରି କାନ୍ଥରେ ସ୍ଲୋଗାନମାନ ଲେଖାଯାଇଛି। ପରେ ସୁରକ୍ଷା କର୍ମୀମାନେ ତା’ ଉପରେ କଳା ବୋଳିଦେଇଛନ୍ତି ।

ରାଲିର ଖବର ସଂଗ୍ରହ କରୁଥିବା ଜଣେ ବିବିସି ସାମ୍ବାଦିକଙ୍କୁ ଘୋଷାରି, ଗୋଇଠା ମାରି, ହ୍ୟାଣ୍ଡକଫ୍ ପକାଇ ଥାନାରେ ଅଟକ ରଖାଯାଇଥିଲା ଏବଂ ପରେ ଛାଡ଼ି ଦିଆଯାଇଥିଲା । ପ୍ରଥମେ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଦୂରରୁ କେବଳ ନଜର ରଖୁଥିଲା । ପରେ ବିଭିନ୍ନ ସହରରେ ସେମାନଙ୍କୁ ଗିରଫ କରିବା ଓ ଲାଠିଚାର୍ଜ କରିବା ଦେଖାଯାଉଛି । ରବିବାର ରାତିସାରା ବିକ୍ଷୋଭ ଚାଲିଥିବା ବେଳେ ସୋମବାର ସକାଳୁ ପୁଣି ବହୁସଂଖ୍ୟାରେ ପ୍ରତିବାଦକାରୀ ରାସ୍ତାକୁ ଓହ୍ଲାଇଛନ୍ତି ।