ଅର୍ଚ୍ଚନା ନାଗ ମାମଲା : ଆଜି ଇଡିରେ ହାଜର ହୋଇପାରନ୍ତି ବଡ଼ବଡ଼ିଆ; ରାଜନେତା,ବ୍ୟବସାୟୀ ନା ଜମି ମାଲିକ, କାହାର ପଡ଼ିବ ପାଳି

129

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇପାରନ୍ତି ବଡ଼ବଡ଼ିଆ । ରାଜନେତା, ବ୍ୟବସାୟୀ ନା ଜମି ମାଲିକ, କିଏ ହେବେ ହାଜର ତା ଉପରେ ନଜର ରହିଛି । ଆଜି ତିନି ଜଣ ବ୍ୟବସାୟୀ ଇଡିରେ ହାଜର ହେବେ ବୋଲି କୁହାଯାଉଛି । ସେମାନେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲା ଜଣାପଡ଼ିଛି । ଅର୍ଚ୍ଚନା ପାଖକୁ ଲକ୍ଷ ଲକ୍ଷ ଟଙ୍କା କାହିଁକି ପଠାଇଥିଲେ, ସେନେଇ ପଚରାଉଚରା କରିବ ଇଡି ।

ଶ୍ରଦ୍ଧାଞ୍ଜଳି ବ୍ୟାଙ୍କ ଆକାଉଣ୍ଟରେ ଇଡି ଠାବ କରିଥିବା ୧୦ ଲକ୍ଷ ଟଙ୍କା ବାବଦରେ ଖୋଳତାଡ୍ ଜୋର ହୋଇଛି । ଡ୍ରାଇଭର ଚନ୍ଦନକୁ ଗତକାଲି ଦ୍ୱିତୀୟ ଥର ପାଇଁ ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଜେରା ବେଳେ ସେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡିକୁ ଦେଇଥିବା କୁହାଯାଉଛି । ସେଥିରୁ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ବହୁ ତଥ୍ୟ ଥିବା ଜଣାପଡ଼ିଛି । ବଡ଼ କଥା ହେଉଛି, ଇଡି ଯେଉଁ ତାଲିକା ପ୍ରସ୍ତୁତ କରିଛି ସେଥିମଧ୍ୟରୁ ୩ରୁ ୪ ଜଣଙ୍କୁ ଜେରା କରିସାରିଲାଣି । ବାକି ଥିବା ବଡ଼ବଡ଼ିଆଙ୍କୁ ଇଡି ଆଜି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି ।